ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ଡ଼ିସେମ୍ବର ୨୬ ତାରିଖରେ ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳ ନିଜର ୨୫ ବର୍ଷ ପୂର୍ତ୍ତି ପାଳନ କରିବ। ଏହା ଦଳର ରୌପ୍ୟ ଜୟନ୍ତୀ ହୋଇଥିବାରୁ ଏହି ଦିନ ପୁରୀର ତାଳବଣିଆରେ ଏକ ବଡ଼ ସମାବେଶର ଆୟୋଜନ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରୁ ୫୦ ହଜାରରୁ ଅଧିକ କର୍ମୀ ଏଥିରେ ଯୋଗ ଦେବେ। ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସମାବେଶକୁ ସମ୍ବୋଧିତ କରିବେ। ପୁରୀରେ ସମାବେଶ ପାଇଁ ରବିବାର ବିଧିବଦ୍ଧ ନିଷ୍ପତ୍ତି ନିଆଗଲା ପରେ ତାହାକୁ ସଫଳ କରିବା ପାଇଁ ସଙ୍ଗେ ସଙ୍ଗେ ପ୍ରସ୍ତୁତି ଆରମ୍ଭ ହୋଇଛି।

ରବିବାର ଦିନ ବିଜେଡିର ବରିଷ୍ଠ ନେତାମାନଙ୍କର ଏକ ବୈଠକ ସକାଳେ ଅନୁଷ୍ଠିତ ହୋଇଥିଲା। ସେଠାରେ ସମାବେଶ ଆୟୋଜନ ନେଇ ଆଲୋଚନା ହୋଇଥିଲା। ଏହାପରେ ଏହି ନେତାମାନେ ନବୀନ ନିବାସ ଯାଇ ସଭାପତିଙ୍କୁ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମାବେଶକୁ ପ୍ରଭାବୀ ଢଙ୍ଗରେ ଆୟୋଜନ କରାଯିବ। ‌ଦଳର ସବୁ ମନ୍ତ୍ରୀ, ସାଂସଦ, ବିଧାୟକ, ରାଜ୍ୟ କର୍ମକର୍ତ୍ତା, ଛାମୁଆ ସଂଗଠନ କର୍ମକର୍ତ୍ତା ଉପସ୍ଥିତ ରହିବେ। ସବୁ ନିର୍ବାଚନମଣ୍ଡଳୀରୁ କର୍ମୀଙ୍କୁ ପୁରୀ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରାଇଛି। ସମ୍ପୂର୍ଣ୍ଣ ସମାବେଶକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ଦିନେ ଦୁଇ ଦିନ ଭିତରେ ଦାୟିତ୍ବ ବଣ୍ଟାଯିବ। ବରିଷ୍ଠ ନେତାମାନେ ପୁରୀରେ ରହି ସବୁ କାର୍ଯ୍ୟର ତଦାରଖ କରିବେ। ରାଜ୍ୟସ୍ତରୀୟ ସମାବେଶ ହେବାର ୧୫ ଦିନ ଭିତରେ ସବୁ ନିର୍ବାଚନମଣ୍ଡଳୀ‌ରେ ଦଳର ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରାଯିବ। ଏଥିରେ ନିର୍ବାଚନମଣ୍ଡଳୀ ସ୍ତରୀୟ ସବୁ ନେତା ସାମିଲ୍ ହେବେ। ଏହା ବାଦ୍ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ଏହାର ସମ୍ପୂର୍ଣ୍ଣ ରୂପରେଖ ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ।

ତେବେ ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡିର ଏହି ସମାବେଶ ଓ ତାହା ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ରାଜନୈତିକ ମହଲର ନଜର ରହିଛି। ରାଜ୍ୟସ୍ତରୀୟ ସମାବେଶରେ ୨୦୨୪ ପାଇଁ ବିଜେଡିର ଆଭିମୁଖ୍ୟ ଏକ ପ୍ରକାର ସ୍ପଷ୍ଟ ହେବ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତିକୁ ପୁଞ୍ଜି କରି ବିରୋଧୀଙ୍କୁ ମୁକାବିଲା କରିବା ପାଇଁ କର୍ମୀମାନଙ୍କୁ ବାର୍ତ୍ତା ଦିଆଯିବ। ଏହା ସହ କେନ୍ଦ୍ରୀୟ ଅବହେଳା ବିରୋଧରେ ଜୋର୍‌ଦାର ଆନ୍ଦୋଳନ ପାଇଁ ମଧ୍ୟ ଯୋଜନା ଚାଲିଥିବା ଜଣାପଡ଼ିଛି।