କାନ ଧରି ଉଠ୍‌ବସ୍‌ ହେଲେ ବିଜେଡି କର୍ମୀ; ଦଳର ପ୍ରତିନିଧି ସମ୍ମିଳନୀରୁ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଜନ ସଂପର୍କ ପଦଯାତ୍ରା। ଏହି ପଦଯାତ୍ରା ପୂର୍ବରୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ଆୟୋଜିତ ହୋଇଛି ବିଜେଡିର ପ୍ରତିନିଧି ସମ୍ମିଳନୀ। ଏହି ସମ୍ମିଳନୀର ପ୍ରଥମ ଦିନରେ ଆଜି ଆଗାମୀ ପଦଯାତ୍ରା ସମୟରେ କିଭଳି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ ସେନେଇ ବିଭିନ୍ନ ପର୍ଯ୍ୟାୟରେ ଦଳର ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏସବୁ ଭିତରେ ଆଜି ଏହି ସମ୍ମିଳନୀରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ମୋଟିଭେସନାଲ ସ୍ପିକର ଉଜ୍ୱଳ ପଟନିଙ୍କ ସେସନ୍‌ରେ ବିଜେଡି କର୍ମୀ ଓ ନେତା ମାନେ କାନ ଧରି ଉଠ୍‌ବସ୍‌ ହେଉଥିବା ଦେଖିବାକୁ ମିଳିଥିଲା।

ତେବେ ନିଜ ସେସନ୍‌ରେ ପଟ୍‌ନି ସମସ୍ତଙ୍କୁ ଆଳସ୍ୟ ଭାଙ୍ଗିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସମସ୍ତଙ୍କୁ ଛିଡ଼ା ହେବାକୁ କହିଥିଲେ ଓ ପରେ ସମସ୍ତଙ୍କୁ କାନ ଧରି ଉଠ୍‌ବସ୍‌ ହେବାକୁ କହିଥିଲେ। ତାଙ୍କ ପରାମର୍ଶ ମାନି ସମସ୍ତ ବିଜେଡି ନେତା ଓ କର୍ମୀ କିଛି ସମୟ ପାଇଁ କାନ ଧରି ଉଠ୍‌ବସ୍‌ ମଧ୍ୟ ହୋଇଥିଲେ। ବିଜେଡି କର୍ମୀଙ୍କୁ ନେତୃତ୍ବର ଜ୍ଞାନ ଦେବା ବେଳେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବେଠୁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିଛନ୍ତି। ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର କରି ବିଜେଡି ଆଜି ବରମୁଣ୍ଡା ପଡ଼ିଆରେ ନିଜ ଶକ୍ତି ପ୍ରଦର୍ଶନ କରିଛି। ଏହି ସମ୍ମିଳନୀରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୁବ, ଛାତ୍ର, ମହିଳା, ବିଧାୟକ, ସାଂସଦଙ୍କୁ ୨୦୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି।

Related Posts