ନିମାପଡା ଓ ଚାନ୍ଦବାଲି ହାତେଇବାକୁ ବିଜେଡିର ସ୍ୱତନ୍ତ୍ର ରଣନୀତି

ଭୁବନେଶ୍ୱର,୨୭/୫(ସତ୍ୟପାଠ ବ୍ୟୁରୋ):  ବିଜେଡି ପାଇଁ ଏବେ ସମ୍ମାନର ପ୍ରଶ୍ନ ସାଜିଛି ନିମାପଡା ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ | ନିମାପଡ଼ାରେ ବର୍ତ୍ତମାନର ବିଧାୟକ ସମୀର ଦାସଙ୍କୁ ଟିକେଟ ନମିଳିବାରୁ ସେ ଦଳ ଛାଡି ବିଜେପିରେ ମିଶିଛନ୍ତି ଓ ବିଜେପିକୁ ଜିତାଇବାକୁ ରଣନୀତି ଚଳାଇଛନ୍ତି | ଅନ୍ୟପଟେ ଚାନ୍ଦବାଲିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିର୍ବାଚନ ଲଢ଼ୁଛନ୍ତି | ଏଭଳି ସ୍ଥିତିରେ ଯେନ ତେନ ପ୍ରକାରେ ଏହି ଦୁଇ ଆସନ ହାତେଇବାକୁ ଏବେ ରଣନୀତି ଆରମ୍ଭ କରିଛି ବିଜେଡି | ରାଜ୍ୟରେ ତିନି ପର୍ଯ୍ୟାୟରେ ଭୋଟ ସରିଥିବା ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ଦାୟିତ୍ୱ ଦିଆଯାଇଛି।

ନିମାପଡ଼ାରେ ବିଧାୟକ ସମୀର ଦାଶଙ୍କୁ କାଉଣ୍ଟର ପାଇଁ ବିଜେଡି ନିଯୁକ୍ତ କରିଛି ୧୬ ପର୍ଯ୍ୟବେକ୍ଷକ । ପ୍ରଥମେ ପର୍ଯ୍ୟାୟ ନିର୍ବାଚନ ପରେ ଗଞ୍ଜାମର ଏକାଧିକ ବିଧାୟକ ସହ ୮ ନେତାଙ୍କୁ ନିମାପଡାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲା। ଆଉ ଗତକାଲି ପୁରୀ ଜିଲ୍ଲାର ୮ ନେତାଙ୍କୁ କେବଳ ନିମାପଡ଼ା ଦାୟିତ୍ୱ ଦେଇଛି ବିଜେଡି । ସତେ ଯେମିତି ସମୀର ବିଜେପିରେ ଯୋଗ ଦେବା ପରେ ବିଜେଡିର ନିଦ ହଜିଯାଇଛି । ସବୁଠୁ ଅଧିକ ଟେନସନ ହେଲା ସମୀର ବିଜେପିରେ ମିଶିବା ପରେ ଜଗତସିଂହପୁର ଲୋକସଭାରେ ବିଜେପିର ପଲ୍ଲା ଭାରି ହୋଇଯାଇଛି ।

ଅନ୍ୟପଟେ ଚାନ୍ଦବାଲି ପାଇଁ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ଦଳ । ସେଠୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଲଢୁଥିବା ବେଳେ ତାଙ୍କୁ ହରାଇବା ବିଜେଡି ସ୍ୱତନ୍ତ୍ର ରଣନୀତି କରିଥିବା କୁହାଯାଉଛି | ତେବେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ବିଜେଡିର ଶୀର୍ଷ ନେତୃତ୍ୱ ଆଗ୍ରହୀ ଥିବାବେଳେ ମନମୋହନ ସାମଲ ଲାଗିପାତି ମେଣ୍ଟ ହେବାକୁ ଦେଲେ ନାହିଁ ବୋଲି ପ୍ରଚାର ହେଲା | ତେଣୁ ଏବେ ସେହି ରାଗ ସୁଝାଇବାକୁ କଳେ ବଳେ କୌଶଳେ ମନମୋହନଙ୍କୁ ହରାଇବାକୁ ରଣନୀତି ପ୍ରସ୍ତିତ ହୋଇଥିବା କୁହାଯାଉଛି । ଏପରିକି ନିମାପଡା ଓ ଚାନ୍ଦବାଲି ପାଇଁ ଶଙ୍ଖ ଭବନ ଓ ନବୀନ ନିବାସରୁ ସ୍ୱତନ୍ତ୍ର ୱାର ରୁମ କାମ କରୁଥିବା କୁହାଯାଉଛି | ଏଭଳି ସ୍ଥିତିରେ ଉଭୟ ମନମୋହନ ଓ ସମୀର ବିଜେଡିର ରଣନୀତିକୁ କିଭଳି ଚେକ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

Related Posts