‘ପ୍ରଥମେ ଲୋକଙ୍କ ମଧ୍ୟରେ ଭୟ ବଢାଇବା ପରେ ଏହାକୁ ହିଂସାରେ ପରିଣତ କରେ ବିଜେପି’: ରାହୁଲ ଗାନ୍ଧୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡ଼ ଯାତ୍ରା’ ମହାରାଷ୍ଟ୍ର ଅତିକ୍ରମ କରି ଆଜି ମଦ୍ଧପ୍ରଦେଶରେ ପ୍ରବେଶ କରିଛି । ବୁଧବାର ସକାଳେ ମଧ୍ୟପ୍ରଦେଶରେ ‘ଭାରତ ଯୋଡ଼ ଯାତ୍ରା’ର ଉଦଘାଟନ କରି ରାହୁଲ ଗାନ୍ଧୀ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ପ୍ରଥମେ ଯୁବକ, କୃଷକ ଏବଂ ଶ୍ରମିକଙ୍କ ମନରେରେ ଭୟ ବଢ଼ାଇବା ପରେ ଏହାକୁ ହିଂସାରେ ପରିଣତ କରୁଛି।

ରାହୁଲ ଏହି ସଭାରେ ଆହୁରି କହିଛନ୍ତି ଯେ, ତାଙ୍କର ଏହି ଯାତ୍ରା ଦେଶରେ ଘୃଣା, ହିଂସା ଏବଂ ଭୟ ବିରୁଦ୍ଧରେ ସ୍ବର ଉଠାଉଛି। ବେକାରୀ ଏବଂ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ପୂର୍ବତନ କଂଗ୍ରେସ ସଭାପତି କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ସେ କହିଛନ୍ତି, “ବିଜେପି ପ୍ରଥମେ ଯୁବକ, କୃଷକ ଏବଂ ଶ୍ରମିକଙ୍କ ହୃଦୟରେ ଭୟ ବଢ଼ାଉଛି ଏବଂ ଯେତେବେଳେ ଏହି ଭୟ ଭଲ ଭାବେ ବ୍ୟାପିଯାଏ, ସେତେବେଳେ ଏହାକୁ ହିଂସାରେ ପରିଣତ କରେ।”

ସୂଚନା ଅନୁସାରେ, ବୁଧବାର ନିର୍ଦ୍ଧାରିତ ସମୟରୁ ଏକ ଘଣ୍ଟା ବିଳମ୍ବରେ ବୁରହାନପୁର ଜିଲ୍ଲାର ବୋଡାରଲି ଗାଁ ଦେଇ ଭାରତ ଯୋଡ ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରିଥିଲା। ଆସନ୍ତା ୧୧ ଦିନରେ ଏହି ଯାତ୍ରା ମଧ୍ୟପ୍ରଦେଶର ୭ ଟି ଜିଲ୍ଲାକୁ ଅତିକ୍ରମ କରିବ। ଏହି ଅବସରେ ଆୟୋଜିତ ଗ୍ରାମସଭାରେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର କଂଗ୍ରେସ କର୍ମୀଙ୍କ ମଧ୍ୟରେ ତ୍ରିରଙ୍ଗା ହସ୍ତାନ୍ତର କରିବା ପରେ ରାହୁଲ ମଧ୍ୟପ୍ରଦେଶରେ ୧୨ ଦିନିଆ ଯାତ୍ରା ଆରମ୍ଭ କରିଥିଲେ। ଏହି ଅବସରରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ, ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡିଦ୍‌ବିଜୟ ସିଂ ଏବଂ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ବୁରହାନପୁରର ଏକ ବଡ଼ ଅଂଚଳରେ କଦଳୀ ଚାଷ କରାଯାଉଥିବା ବେଳେ ଏହା ହସ୍ତତନ୍ତ ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଅଟେ। ତେବେ ଆଜି ଅପରାହ୍ନରେ ରାହୁଲ ଗାନ୍ଧୀ କଦଳୀ ଚାଷୀ ଏବଂ ହସ୍ତତନ୍ତ କାରିଗରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ମଧ୍ୟପ୍ରଦେଶରେ ପଦଯାତ୍ରା ସମୟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ରାହୁଲଙ୍କ ସହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Related Posts