ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଭିତରେ ଆୟକର ବିଭାଗ ଓ ଜିଏସଟିର ରେଡ ଏବେ ରାଜନୈତିକ ବାତାବରଣକୁ ଅଧିକ ଉଷ୍ମ କରିଛି। ଗତକାଲି ସକାଳୁ ବିଜେଡି ସମର୍ଥିତ କିଛି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ରେଡ୍ ହୋଇଥିବା ବେଳେ ସନ୍ଧ୍ୟାରେ ସ୍ଥାନୀୟ ବିଜେପି ନେତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଜିଏସଟିର ରେଡ ଦେଖିବାକୁ ମିଳିଥିଲା। ତେବେ ଏହି ରେଡ ରାଜନୀତି ଏବେ ପଦ୍ମପୁର ମହୋଲକୁ ସରଗରମ କରିଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେପି ଓ ବିଜେଡି। ଗତକାଲି ଜିଏସଟିର ରେଡ ସମୟରେ ସେ ସ୍ଥାନରେ ବିଜେପିର କିଛି ନେତା ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରିଥିବା ବିଜେଡି ଅଭିଯୋଗ କରିଥିବା ବେଳେ ଆଜି ପ୍ରେସମିଟ କରି ଏହି ଘଟଣାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ସାଂସଦ ସସ୍ମିତ ପାତ୍ର।
ପଦ୍ମପୁରରେ ଜିଏସଟି ରେଡ୍ ବେଳେ ହିଂସାକୁ ନେଇ ବିଜେପିକୁ ଦାୟୀ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ଯେ, ଉତ୍ତରପ୍ରଦେଶ ଓ ବିହାର ଭଳି ଓଡ଼ିଶାରେ ହିଂସା ଆଚରଣ କରୁଛି ବିଜେପି । ଜିଏସଟି ରେଡ୍ ବେଳେ ଅଧିକାରୀଙ୍କୁ ଆକ୍ରମଣ କରାଯାଇଛି । ମହିଳା ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ବିଜେପି କର୍ମୀ ।
ତେଣୁ ତୁରନ୍ତ ରାଜ୍ୟ ନିର୍ବାଚନ କମିଶନ ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ବିଜେପିର ୪ ନେତାଙ୍କୁ ପ୍ରଚାର ମୈଦାନରୁ ଦୂରେଇ ରଖନ୍ତୁ । ପିଙ୍କି ପ୍ରଧାନ, ଠାକୁର ରଞ୍ଜିତ ଦାସ, କାଳନ୍ଦୀ ସାମଲ ଓ କୁସୁମ ଟେଟେଙ୍କୁ ପ୍ରଚାର ମୈଦାନକୁ ଦୂରେଇ ରଖିବାକୁ ଦାବି କରିଛି ବିଜେଡି । ନିର୍ବାଚନୀ ହିଂସାକୁ ଚରମ ସୀମାକୁ ବିଜେପି ନେଲାଣି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ବିଜେପିର ଏଭଳି କାର୍ଯ୍ୟକଳାପ ଅତ୍ୟନ୍ତ ଦୁଭାଗ୍ୟଜନକ ଓ ବିଜେଡି ଏହାକୁ ନିନ୍ଦା କରୁଥିବା କହିଛନ୍ତି ସସ୍ମିତ ।
ସସ୍ମିତ କହିଛନ୍ତି ଯେ, ସୋମବାର ଆଇଟି ବିଭାଗର ରେଡ୍ ବେଳେ ବିଜେଡିର କୌଣସି କର୍ମୀ ଉପସ୍ଥିତ ଥିଲେ କି? କିନ୍ତୁ ଜିଏସଟି ଚଢାଉ ବେଳେ ବିଜେପିର ମାଳମାଳ ନେତା ପହଞ୍ଚି ସେଠାରେ ଜିଏସଟି ଅଧିକାରୀଙ୍କୁ ଗାଲିଗୁଲଜ କରିବା ସହ ବ୍ୟବହାର ଖରାପ କରିଥିଲେ । ଏପରିକି ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ବିଜେପି ନେତା । ସେହିଭଳି ଝାରବନ୍ଧ ବ୍ଲକର ସାଲଡିହିରେ ବିଜେପି କର୍ମୀ ଟଙ୍କା ବାଣ୍ଟୁଥିବାର ଖବର ଆସିଥିଲା । ଉକ୍ତ ବିଜେପି କର୍ମୀଙ୍କୁ ଗ୍ରାମବାସୀ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ପଳାୟନ କରିଥିଲେ । ଆଉ ଏହାକୁ ଲୁଚାଇବାକୁ ଯାଇ ଅପହରଣର ମିଛ ଅଭିଯୋଗ ଆଣିଥିଲେ ବିଜେପି । କିନ୍ତୁ ସେମିତି କୌଣସି ଅପହରଣ ହୋଇନଥିବା କଥା ଉକ୍ତ ବିଜେପି କର୍ମୀ ପୋଲିସ ଥାନାରେ କହିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସସ୍ମିତ । ବିଜେପି ଶସ୍ତା ରାଜନୀତି ପାଇଁ ମିଛ ଏଫଆଇଆର ଦେବାକୁ ମଧ୍ୟ ପଛାଉନଥିବା କହିଛନ୍ତି ସସ୍ମିତ ।
