ମିଛର ପାଦ କେତେ ବି ଲମ୍ବା ହେଉ ସତ ତୁଳନାରେ ଛୋଟ ହିଁ ରହିବ: ‘କାଶ୍ମୀର ଫାଇଲ୍ସ’ ବିବାଦକୁ ନେଇ ଅନୁପମଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୫୩ ତମ ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି) ଜୁରି ମୁଖ୍ୟ ‘ଦି କାଶ୍ମୀର ଫାଇଲ୍ସ’ ଫିଲ୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଗତକାଲି ସଂଧ୍ୟାରେ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ମୁଖ୍ୟ ନାଦଭ ଲାପିଡ୍‌ କହିଥିଲେ ଯେ, ‘ଦି କଶ୍ମୀର ଫାଇଲ୍ସ’ ଏକ ‘ପ୍ରେପାଗଣ୍ଡା’ ଆଧାରିତ ଏବଂ ‘ଅଶ୍ଳୀଳ’ ଚଳଚ୍ଚିତ୍ର।’ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ଫିଲ୍ମଟି ପ୍ରତିଯୋଗିତା ଦୌଡ଼ରେ କିପରି ସ୍ଥାନ ପାଇଛି!’

ଯାହାକୁ ନେଇ ଚାରିଆଡ଼େ ନାଦଭ ଲାପିଡ୍‌ଙ୍କୁ ନିନ୍ଦା କରାଯାଉଛି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଫିଲ୍ମର କଳାକାର ଅନୁପମ୍‌ ଖେର୍‌ ବି ତାଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ‘କାଶ୍ମୀର ଫାଇଲ୍ସ’କୁ ନିନ୍ଦା କରିବାକୁ ପୂର୍ବରୁ ଯୋଜନା କରାଯାଇଥିଲା। କାଶ୍ମୀର ପଣ୍ଡିତଙ୍କ ପ୍ରତି ନାଦଭ ଲାପିଡ୍‌ ଅସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏପରି ବୟାନ ପରେ ଟୁଲ୍‌କିଟ୍‌ ଗ୍ୟାଙ୍ଗ୍‌ ସକ୍ରିୟ ହୋଇ ପଡ଼ିଛନ୍ତି। ସେ ନାଦଭ ଲାପିଡ୍‌ଙ୍କ ନାମ ‌ନନେଇ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି ଯେ, ‘ମିଛର ପାଦ କେତେ ବି ଉଚ ହେଉ ପଛେ, ସତ ଆଗରେ ମୁକାବିଲା ବେଳେ ସବୁବେଳେ ଛୋଟ ହିଁ ହୋଇଥାଏ।’

ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ହେଡ୍‌ ନାଦଭ ଲାପିଡ୍‌ ‘କାଶ୍ମୀର ଫାଇଲ୍ସ’ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ନିନ୍ଦା କରିଛନ୍ତି ଭାରତରେ ଅବସ୍ଥିତ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ନାଓର୍‌ ଗିଲନ୍‌। ସେ ଟ୍ବିଟ୍‌ କରି ଲେଖିଛନ୍ତି, ”କଶ୍ମୀର ଫାଇଲ୍ସକୁ ସମାଲୋଚନା କରିଥିବା ନାଦଭ ଲାପିଡ୍‌ଙ୍କୁ ମୋର ଖୋଲି ଚିଠି। ଏହା ହେବ୍ରିଓରେ ଲେଖୁନାହିଁ, କାରଣ ମୁଁ ଚାହୁଁଛି ମୋ ଭାରତୀୟ ଭାଇଭଉଣୀମାନେ ବି ବୁଝନ୍ତୁ ମୁଁ ଯାହା ଲେଖୁଛି। ଏହା ଅପେକ୍ଷାକୃତ ଦୀର୍ଘ ହୋଇଥିବାରୁ ମୁଁ ତୁମ ଉଦ୍ଦେଶ୍ୟରେ ପ୍ରଥମେ ‘ବଟନ୍‌ ଲାଇନ୍‌’ ଲେଖିବାକୁ ଚାହିଁବି ଯେ ‘ତୁମେ ଲଜ୍ଜିତ ହେବା ଉଚିତ’।

Related Posts