ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନିର୍ବାଚନ ହାରିବା ପରେ ଜଣେ ପରେ ଜଣେ ନେତା ଦଳ ଛାଡ଼ୁଛନ୍ତି । ଏହା ମଧ୍ୟରେ ତୃଣମୂଳ କଂଗ୍ରେସ ସାଂସଦ କୀର୍ତ୍ତି ଆଜାଦଙ୍କ ବଡ ବୟାନ ସାମ୍ନାକୁ ଆସିଛି। ତେବେ ବିଜେପି ‘ଅପରେସନ୍ ଲୋଟସ୍’ ମାଧ୍ୟମରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ଭିତରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ, ଟିଏମସିକୁ ବିଭାଜିତ କରିବାର ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ହୋଇଛି।

‘ଏକ୍ସ‌’ରେ ଏକ ପୋ‌ଷ୍ଟ କରି ଆଜାଦ ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା ଓ ବିଜେପି ନେତା ନିଶିକାନ୍ତ ଦୁବେଙ୍କ ଦିଲ୍ଲୀ ବାସଭବନ ବାହାରେ ତାଙ୍କର ଉପସ୍ଥିତିକୁ ନେଇ ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ।ଅସନ୍ତୁଷ୍ଟ ଟିଏମସି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ମଧ୍ୟରେ ବୈଠକ ଓ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଟିଏମସି ସାଂସଦ ଶତାବ୍ଦୀ ରାୟଙ୍କ ବାସଭବନ ଗସ୍ତ ଟିଏମ୍‌ସିକୁ ଦୁର୍ବଳ କରିବା ପାଇଁ ‘ଏକ ସଂଗଠିତ ପ୍ରୟାସ’ର ସଙ୍କେତ ବୋଲି କୀର୍ତ୍ତି ଦର୍ଶାଇଛନ୍ତି। ଅମିତ ଶାହଙ୍କ ନେତୃତ୍ବରେ ଚାଲିଥିବା ‘ଅପରେସନ ଲୋଟସ୍’ କିନ୍ତୁ ବିଫଳ ହୋଇଛି ବୋଲି ସେ କହିଛନ୍ତି।