ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାର ଦୋଷୀ ରାମ ରହୀମଙ୍କ ଅନଲାଇନ୍ ସତସଙ୍ଗରେ ସାମିଲ୍ ହୋଇଛନ୍ତି ବିଜେପି ନେତା। ହରିୟାଣାର କରନାଲ ନଗର ନିଗମର ମେୟର ରେଣୁ ବାଳା ଗୁପ୍ତା ସମେତ ଅନ୍ୟ ନେତା ଉକ୍ତ ସତସଙ୍ଗରେ ଯୋଗ ଦେଇଛନ୍ତି। ତେବେ ତାଙ୍କ ଯୋଗ ଦେବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ରେଣୁବାଳା ସଫେଇ ଦେଇ କହିଛନ୍ତି, ସେ ରାମ ରହୀମଙ୍କ ଅନୁଗାମୀଙ୍କ ନିମନ୍ତ୍ରଣ କ୍ରମେ ସେଠାରେ ଯୋଗ ଦେଇଥିଲେ।

ରେଣୁବାଳା ଗୁପ୍ତାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏଥିରେ ସେ ଭିଡିଓ କଲ୍ ଜରିଆରେ ଡେରା ପ୍ରମୁଖଙ୍କ ସହ ଲାଇଭରେ କଥା ହେବା ଏବଂ ଆତ୍ମଘୋଷିତ ବାବାଙ୍କ ଆଶୀର୍ବାଦ ନେଉଥିବା , ଏପରିକି ତାଙ୍କୁ ପିତା କହୁଥିବା ଦେଖିବାକୁ ମିଳିଛି। ସେ ରାମ ରହୀମଙ୍କୁ କରନାଲ ଆସିବାକୁ ଅନୁରୋଧ କରି ଏକ ସ୍ଵତନ୍ତ୍ର ସଫେଇ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି।

ରାମ ରହୀମଙ୍କୁ ରୋହତଗର ସୁନାରିଆ ଜେଲ୍‌ରୁ ୪୦ ଦିନର ପାରୋଲରେ ମୁକୁଳିଛନ୍ତି। ଏହି ସମୟରେ ସେ ଭର୍ଚୁଆଲ ସତସଙ୍ଗର ଆୟୋଜନ କରିଛନ୍ତି। ସତସଙ୍ଗ୍‌ରେ ସାମିଲ୍ ହେବା ନେଇ ବିବାଦ ହେବାରୁ କରନାଲ ନଗର ନିଗମର ବରିଷ୍ଠ ଉପ ମେୟର ରାଜେଶ କୁମାର ଅଗି କହିଛନ୍ତି, ଏହାର ରାଜନୀତି ସହ କୌଣସି ନେଣଦେଣ ନାହିଁ। କାରଣ ଓ୍ଵାର୍ଡରେ ଡେରା ପ୍ରମୁଖଙ୍କ ହଜାର ସଂଖ୍ୟକ ଅନୁଗାମୀ ଅଛନ୍ତି, ସେମାନେ ହିଁ ମୋତେ ଆମନ୍ତ୍ରିତ କରିଥିଲେ। ସେଠାରେ ମୁଁ କିଛି ମିନିଟ୍ ରହି ଫେରି ଆସିଥିଲି ବୋଲି ରାଜେଶ କହିଛନ୍ତି।

ଏହି ପରି ଉପ ମେୟର ନବୀନ କୁମାର(ସ୍ଵଂୟ ଡେରା ପ୍ରମୁଖଙ୍କ ଅନୁଗାମୀ) କହିଛନ୍ତି, ସେ ଅନୁଗାମୀଙ୍କ ନିମନ୍ତ୍ରଣରେ ସେଠାକୁ ଯାଇଥିଲେ ଏବଂ ଏହାର ରାଜନୀତି ସହ କୌଣସି ସଂପର୍କ ନାହିଁ। ଆମେ ନିଜ ଓ୍ଵାର୍ଡର ଲୋକଙ୍କୁ ମନା କରି ପାରିବୁ ନାହିଁ। ସତସଙ୍ଗରେ ଯୋଗ ଦେବା ପାଇଁ ବିଜେପି ଜିଲ୍ଲା ସଭାପତି ଯୋଗେନ୍ଦ୍ର ରାଣା ସମେତ ଅନେକ ନେତା ବରନାଭା ପହଞ୍ଚିଥିବା ନବୀନ କୁମାର କହିଛନ୍ତି