ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତେହେରାନ ଉପରେ ଇସ୍ରାଏଲ-ଆମେରିକାର ଆକ୍ରମଣ। ୬ ଶିଶୁ ସମେତ ୩୪ ମୃତ । ଉଭୟ ଆମେରିକା ଓ ଇସ୍ରାଏଲ ଗତକାଲି ରାତି ସାରା ଇରାନର ପ୍ରମୁଖ ସହର ଓ ରାଜଧାନୀ ତେହେରାନରେ ବିମାନ ଆକ୍ରମଣ କରିଛନ୍ତି। ଶୀର୍ଷ ବିଶ୍ବବିଦ୍ୟାଳୟ ଓ ଜନବସତି ଅଞ୍ଚଳଗୁଡ଼ିକରେ ହୋଇଥିବା ଆକ୍ରମଣ ଯୋଗୁ ଅତିକମ୍ରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ତେହେରାନ ପ୍ରଦେଶର ବାହାରେସ୍ତାନ କାଉଣ୍ଟିରେ ୬ ଶିଶୁଙ୍କ ସମେତ ୨୩ ଜଣଙ୍କର ମୃତ୍ୟୁ ହୋଇଛି। କୋମ୍ ସହରରେ ଏକ ଜନବସତି ଅଞ୍ଚଳରେ ଆକ୍ରମଣ ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ଇରାନରେ ବନ୍ଦର ଏ ଲେନ୍ଗେ ଅଞ୍ଚଳରେ ଅନ୍ୟ ଏକ ବିମାନ ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ-ଆମେରିକା ମଧ୍ୟ ତେହେରାନର ସମ୍ମାନଜନକ ସରିଫ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଉପରେ ଆକ୍ରମଣ କରିଛି। ସରିଫ ଅଞ୍ଚଳରେ ଆଜି ଏକ ଗ୍ୟାସ୍ ଫ୍ୟାସିଲିିଟି ଉପରେ ମଧ୍ୟ ଆକ୍ରମଣ ହୋଇଛି। ଇରାନର ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅନୁଯାୟୀ ଫେବ୍ରୁଆରି ୨୮ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାବତ୍ ଇରାନରେ ମୋଟ୍ ୩୦ ବିଶ୍ବବିଦ୍ୟାଳୟ ଉପରେ ଆକ୍ରମଣ ହେଲାଣି। ଇରାନର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଅରେଫ ଅଭିଯୋଗ କରିଛନ୍ତି ଯେ, ଆମେରିକା ବିଶ୍ବବିଦ୍ୟାଳୟକୁ ଟାର୍ଗେଟ୍ କରିବା ପାଇଁ ‘ବଙ୍କର ବଷ୍ଟର’ ବ୍ୟବହାର କରିଛି। ଇତି ମଧ୍ୟରେ ଇରାନର ଆଇଆର୍ଜିସି (ଇସଲାମିକ୍ ରିଭୋଲ୍ୟୁସନାରି ଗାର୍ଡ କର୍ପସ) ଗୁଇନ୍ଦା ଅନୁଷ୍ଠାନ ମୁଖ୍ୟ ମେଜର ଜେନେରାଲ୍ ମଜିଦ ଖାଦେମିଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି।
