ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିଦେଶୀ ମହିଳାଙ୍କ ସହ ତୁଳନା କଲେ ବିଜେପି ନେତା କୈଳାସ ବିଜୟବର୍ଗୀୟ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ । ତାଙ୍କ ରାଜନୈତିକ ପଟ୍ଟପରିବର୍ତ୍ତନ ନେଇ ଜଣେ ବିଜେପି ନେତା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିଦେଶୀ ମହିଳାଙ୍କ ସହ ତୁଳନା କରିଛନ୍ତି। ଯିଏ କୌଣସି ସମୟରେ ବି ବୟଫ୍ରେଣ୍ଡ ବଦଳେଇ ଦେଇ ପାରନ୍ତି। ସେ କହିଛନ୍ତି ଯେ, ମୁଁ ଯେତେବେଳେ ବିଦେଶରେ ଥିଲି କେହି ଜଣେ କହିଲେ ଏଠିକାର ମହିଳା ଯେ କୌଣସି ସମୟରେ ତାଙ୍କ ବୟଫ୍ରେଣ୍ଡ ବଦଳେଇ ଦିଅନ୍ତି। ବିହାର ମୁଖ୍ୟମନ୍ତ୍ରୀ ଠିକ୍ ସେମିତି।

ଆମେ ଜାଣି ନାହୁଁ ସେ କେତେବେଳେ କାହା ହାତ ଧରିବେ ପୁଣି କହା ହାତ ଛାଡ଼ିବେ। କୈଳାସ ବିଜୟବର୍ଗୀୟଙ୍କ ଏହି ଭିଡିଓ କ୍ଲପିକୁ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟୋୱାଲା ସେୟାର କରିଛନ୍ତି। ମହିଳାମାନଙ୍କ ପ୍ରତି ଜଣେ ବିଜେପି ନେତାଙ୍କ କିଭଳି ସମ୍ମାନ ତାହା ଏଥରୁ ପ୍ରମାଣିତ ହେଉଛି ବୋଲି ସେ ଲେଖିଛନ୍ତି।

ସେହିପରି ତାଙ୍କ ପୂର୍ବରୁ ବିହାରର ସାସରାମରୁ ବିଜେପି ସାଂସଦ ଛେଦୀ ପାସୱାନ୍ ମଧ୍ୟ ଏକ ବିବାଦୀୟ ବୟାନ୍ ଦେଇଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ୟୁନାଇଟେଡ୍) ନେତା ନୀତୀଶ କୁମାର ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ସହ ହାତ ମିଳାଇପାରନ୍ତି। ତାଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ କୁମାର ଦାଉଦ ଇବ୍ରାହିମଙ୍କ ସହ ହାତ ମିଳାଇ ପାରନ୍ତି, କିନ୍ତୁ ନୀତୀଶଙ୍କ ପାଇଁ ବିଡମ୍ବନାର ବିଷୟ ଏହା ଯେ ସବୁ ପରେ ବି ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

ନିକଟରେ ବିଜେପିର ହାତ ଛାଡିଛି ଜେଡିୟୁ। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ ଆର୍‌ଜେଡି ସହ ହାତ ମିଳାଇଛନ୍ତି। ନୀତୀଶ କୁମାର ତେଜସ୍ୱୀ ଯାଦବଙ୍କ ଆରଜେଡି ଏବଂ କଂଗ୍ରେସ ଦଳ ସହ ବିହାରରେ ଏକ ନୂତନ ସରକାର ଗଠନ କରିଛନ୍ତି।

Related Posts