ବିଜେପିକୁ ବଜରଙ୍ଗୀ ନୁହଁ ବିଭୀଷଣ ଦରକାର !

ଭୁବନେଶ୍ୱର,୨/୬(ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିକୁ ଜୁଝିବାପାଇଁ ଓଡିଶା ବିଜେପିର ରଣନୀତିରେ ଧାରାବାହିକ ଭାବରେ ବିଚିତ୍ର ବ୍ୟତିକ୍ରମ ସବୁ ଦେଖିବାକୁ ମିଳୁଛି। ପୁରୀରେ ଆୟୋଜିତ କାର୍ଯ୍ୟକାରିଣୀରେ ଦଳୀୟ ନେତା କହିଲେ ବିଜେଡିକୁ ବଙ୍ଗୋପସାଗରରେ ଫୋପାଡି ଦେବୁ। ତାପରେ କହିଲେ ୨୪ରେ ବିଜେଡି ସହ ପଶ୍ଚିମବଙ୍ଗ ଷ୍ଟାଇଲରେ ଲଢେଇ ହେବ। ଏବେ ମନମୋହନ ସାମଲ ରାଜ୍ୟ ସଭାପତି ହେବା ପରେ ଯେଉଁ କଥା କହୁଛନ୍ତି ତାହା ଶୁଣିବାକୁ ଯେତିକି ରୋଚକ ଲାଗୁଛି ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ସେତିକି ନନ୍ ସିରିୟସ୍ ବା ହାଲୁକା ଶୁଭୁଛି।

ବିଜେପି କହୁଛି ଯେ ୨୦୨୪ ରେ ଓଡ଼ିଶା ବିଜେଡି ମୁକ୍ତ ହେବ। ହେଲେ ବିଜେପି କିଭଳି ଏହି ଟାର୍ଗେଟକୁ ପୁରା କରିବ ସେନେଇ ମନମୋହନ ଓ ଦଳର ଆଉଜଣେ ନେତା ପୃଥ୍ୱୀରାଜ ହରିଚନ୍ଦନ ଯେଉଁ ସୂତ୍ର ବା ରଣନୀତି ଟି କହିଛନ୍ତି ତାହା ଦଳର ପଲଟିକାଲ୍ ବ୍ୟାଂକରପ୍ସି କୁ ବୟାନ କରୁଛି। ସେଇଟା ହେଲା, ୨୦୨୪ ପାଇଁ ବିଜେପିକୁ ବଳବନ୍ତ ବଜରଙ୍ଗବାଲୀଙ୍କ ଅପେକ୍ଷା ବଶ୍ବାସଘାତକ ବିଭୀଷଣ ଦରକାର।

ରାଜ୍ୟ ବିଜେପି ସଭାପତି ମନମୋହନଙ୍କ କହିବାକଥା ୨୦୨୪ରେ ବିଜେପି ରାଜ୍ୟରେ ନିଶ୍ଚୟ ସରକାର କରିବ କାରଣ ଶାସକ ବିଜୁ ଜନତା ଦଳର ବହୁ ଅସନ୍ତୁଷ୍ଟ ନେତା ଠିକ୍ ସମୟରେ ଦଳପତି ନବୀନଙ୍କ ତିତା କାଟି ବିଭୀଷଣ ଭୂମିକା ତୁଲେଇବେ। ସେହିପରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା କଥା ୨୦୨୪ ବେଳକୁ ବିଜେଡି ଭିତରୁ ୧୦୦ ରୁ ଅଧିକ ବିଭୀଷଣ ବାହାରିବେ। ଯଦି ମନମୋହନ ଓ ପୃଥ୍ୱୀରାଜଙ୍କ କଥାକୁ ବିଶ୍ବାସ କରାଯାଏ ତେବେ ରାଜ୍ୟ ବିଜେପିର ଏବେ ପ୍ରାଥମିକତା ହେଲା ନିର୍ବାଚନ ଠିକ ପୂର୍ବରୁ କିଭଳି ଅଧିକ ବିଭୀଷଣ ବେଉଷଣ ହୋଇପାରିବ ସେ ଦିଗରେ ରଣନୀତି ତିଆରି କରିବା।

ସାମଲଙ୍କ କହିବା କଥା ଯେ, କୁଆଡେ ବିଜେଡିର ୧୦୦ ବଡ ନେତା ବିଜେପି ସହ ମୁଲଚାଲରେ ଅଛନ୍ତି ଏବଂ ଠିକଣା ସମୟରେ ବିଭୀଷଣ ସାଜି ବିଜେପିରେ ସାମିଲ ହେବେ। ସେହିଭଳି ପୃଥ୍ୱୀରାଜଙ୍କ ଯୁକ୍ତି ହେଉଛି, ତ୍ରେତେୟାରେ ଗେଟିଏ ବିଭୀଷଣ ପରାକ୍ରମୀ ରାବଣକୁ ହରେଇ ଦେଇଥିଲା । ବିଜେପି କଣ୍ଟାକ୍ଟ୍ ରେ ଏବେ ଶହେ ବିଭୀଷଣ ତେଣୁ ବିଜଡିର ପରାଜୟ ସୁନିଶ୍ଚିତ।
ଏସବୁ ଭିତରେ ରୋଚକ କଥାଟି ହେଲା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କୁ ଆଦର୍ଶ ଭାବେ ମାନୁଥିବା ବିଜେପି ନେତୃତ୍ବ ଲଙ୍କା ବିଜେ ଓ ରାବଣ ନିପାତ ପାଇଁ ବଳବନ୍ତ ବଜରଙ୍ଗବାଲୀଙ୍କୁ ଖୋଜୁନାହାନ୍ତି, ବରଂ ଖୋଜୁଛନ୍ତି ବିସ୍ବାସଘାତକ ବିଭୀଷଣମାନଙ୍କୁ। ୨୪ ପାଇଁ ରାଜ୍ୟ ବିଜେପିର ବିକାଶର ନେରେଟିଭ୍ ବଦଳରେ ବିଭୀଷଣ ନେରେଟିଭ୍ ଏବେ ବଣ୍ଟା ଯାଉଛି।

Related Posts