ବିଜେପିର ମହାଜନସମ୍ପର୍କ ଅଭିଯାନ: ୧୭ରେ ଶାହ, ୨୨ରେ ଓଡିଶା ଆସିବେ ନଡ୍ଡା

ଭୁବନେଶ୍ୱର,୨/୬(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରରେ ମୋଦି ସରକାରକୁ ପୁରିଛି ୯ ବର୍ଷ । ଏହି ଅବସରରେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ମହାଜନସମ୍ପର୍କ କାର୍ଯ୍ୟକ୍ରମ । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶର କେତେ ବିକାଶ ହୋଇଛି ? ମୋଦି ସରକାରର ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ଏକ ମାସ ବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ । ଆଉ ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ନେତା।

ଏହି ଅବସରରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତା ଶାହ ଓଡ଼ିଶା ଗସ୍ତରେ ଆସିବେ । ଜୁନ ୧୭ରେ ତାରିଖରେ ଅମିତ ଶାହ ଏବଂ ଜୁନ ୨୨ରେ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ ବୋଲି ମଧ୍ୟ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ବର୍ତ୍ତମାନ ନଡ୍ଡା ଓ ଶାହ ଙ୍କ ଗସ୍ତ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ମୋଦୀ କେବେ ଓଡ଼ିଶା ଆସିବେ ତାହା ଜଣାପଡିନାହିଁ। ତେବେ ଉଭୟ ନେତାଙ୍କ ଗସ୍ତକୁ ନେଇ ଏବେ ଉତ୍ସାହିତ ବିଜେପି କ୍ୟାମ୍ପ। ୨୪ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପି କେନ୍ଦ୍ରୀୟ ନେତାଙ୍କ ଗସ୍ତ ଅବସରରେ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରୁଛି। ତେବେ ଏହି ଗସ୍ତ ଅବସରରେ ଦଳୀୟ କର୍ମୀଙ୍କୁ ଉଭୟ ବରିଷ୍ଠ ନେତା କି ମନ୍ତ୍ର ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନାଥାଉ କି, ବିଜେପିର ଏହି ଜନସମ୍ପର୍କ ଅଭିଯାନରେ ଓଡ଼ିଶାରେ ଦଳ ୩ କୋଟି ପରିବାର ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ୩୬ ହଜାର ୬୦୬ ବୁଥରେ ପହଞ୍ଚିବା ସହ ଏଥିରେ ଦଳର ୫ ଲକ୍ଷ କର୍ମକର୍ତ୍ତା ସାମିଲ୍ ହେବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

Related Posts