ବିଜେଡି ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କ ନାଁରେ ରହିଛି ୧୭ଟି ଅପରାଧିକ ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେଡି ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କ ନାଁରେ ରହିଛି ୧୭ଟି ଅପରାଧିକ ମାମଲା । ହେଲେ ଏପର୍ଯ୍ୟନ୍ତ ବିଜେଡି ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କ ସମ୍ପତ୍ତିର ତାଲିକା ଜଣାପଡ଼ି ନାହିଁ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ବିଜେଡିର ତିନି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର କୋଟିପତି। ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରୁ ଏହି ସୂଚନା ମିଳିଛି। ସତ୍ୟପାଠ ଅନୁଯାୟୀ ମାନସ ଓ ତାଙ୍କ ପତ୍ନୀଙ୍କ ନାଁରେ ସର୍ବାଧିକ ୮କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି। ମାନସଙ୍କ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ପାଖାପାଖି ସାଢ଼େ ୩କୋଟି ହୋଇଥିବାବେଳେ ତାଙ୍କ ପତ୍ନୀଙ୍କ ନାଁରେ ପ୍ରାୟ ୪.୮୦କୋଟି ଟଙ୍କାର ସମ୍ପତ୍ତି ରହିଛି।

ଉଭୟଙ୍କ ନାଁରେ ମୋଟ ୨୬.୮୨ଲକ୍ଷ ଟଙ୍କାର ଋଣ ରହିଛି । ୫୧ବର୍ଷୀୟ ମାନସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ସୁଲତା ଦେଓଙ୍କ ନାଁରେ ଭୁବନେଶ୍ୱରରେ ଦୁଇଟି ପ୍ଲଟ୍ ସମେତ ୧.୧୦କୋଟି ଟଙ୍କାର ସମ୍ପତ୍ତି ଓ ତାଙ୍କ ସ୍ୱାମୀଙ୍କ ନାଁରେ ୫୮ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୨୧ଲକ୍ଷ ଟଙ୍କା ଥିବାବେଳେ ୧୦ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଓ ସାଢ଼େ ୧୦ଲକ୍ଷ ଟଙ୍କାର ବୀମା ତାଙ୍କ ନାଁରେ ରହିଛି। ୪୯ ବର୍ଷୀୟା ସୁଲତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକ। ସସ୍ମିତ ପାତ୍ର ଓ ତାଙ୍କ ପତ୍ନୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ଅଢ଼େଇ କୋଟି ଟଙ୍କାରୁ ଅଧିକ। ସସ୍ମିତଙ୍କ ସମ୍ପତ୍ତିର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହୋଇଥିଲା ବେଳେ ତାଙ୍କ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା। ସସ୍ମିତ ଆହ୍ଲାବାଦ କୃଷି ପ୍ରତିଷ୍ଠାନରୁ ପିଏଚ୍‌ଡି ହାସଲ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts