କଶ୍ମୀର ପଣ୍ଡିତଙ୍କ ଦୁଃଖର ଫାଇଦା ଉଠାଉଛି ବିଜେପି: ମେହବୁବା ମୁଫତି

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର କିଛି କରୁ ନାହାନ୍ତି | କିନ୍ତୁ ତାଙ୍କ ଦୁଃଖର ଫାଇଦା ଉଠାଇ ରାଜନୀତି କରୁଛନ୍ତି | ଏପରି କିଛି କହି ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି ।

ମେହବୁବା କହିଛନ୍ତି, “ବିଜେପି କେବଳ କଶ୍ମୀର ପଣ୍ଡିତଙ୍କୁ ଶୋଷଣ କରିବା ଜାଣିଛି। ଯଦି କାଶ୍ମୀର ପଣ୍ଡିତମାନଙ୍କ ପାଇଁ କିଛି କରାଯାଇଥାଏ, ତେବେ ସେମାନେ ତମ୍ବୁ ବଦଳରେ ଫ୍ଲାଟରେ ରହିଥାନ୍ତେ। କାଶ୍ମୀର ପଣ୍ଡିତଙ୍କ ଯାହାବି ଉନ୍ନତି ହୋଇଛି ତାହା ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ ଥିବା ବେଳେ ଏବଂ ମୁଫତି ମହମ୍ମଦ ସଇଦ , ଉମର ଅବଦୁଲ୍ଲା ଓ ଗୁଲାମ ନବୀ ଆଜାଦଙ୍କ ସମୟରେ ହୋଇଛି। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ କଶ୍ମୀର ପଣ୍ଡିତମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପ୍ୟାକେଜ୍ ଦେଇଛନ୍ତି। ବିଜେପି ଗତ ୪ ବର୍ଷ ହେଲା ସିଧାସଳଖ କଶ୍ମୀରକୁ ନିଜ ନିୟନ୍ତ୍ରଣରେ ରଖି ଶାସନ କରୁଥିଲେ ବି ଏହାର ପଣ୍ଡିତଙ୍କ ଉନ୍ନତି ପାଇଁ କିଛି କରୁନି।

ପିଡିପି ମୁଖ୍ୟ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କଶ୍ମୀରରେ ଅଶାନ୍ତି ଦେଖାଦେଇଥିଲା। ସେତେବେଳେ ତାଙ୍କ ସରକାର କଶ୍ମୀର ପଣ୍ଡିତ କର୍ମଚାରୀଙ୍କୁ ଘରେ ବସାଇ ରମା ପ୍ରଦାନ କରିଥିଲେ। ସେ କହିଛନ୍ତି ଯେ ୨୦୧୬ ରେ ଯେତେବେଳେ ଅବସ୍ଥା ଖରାପ ଥିଲା, ଆମେ ଘରେ ବସିଥିବା କଶ୍ମୀର ପଣ୍ଡିତମାନଙ୍କୁ ୧୭ ମାସର ଦରମା ଦେଇଥିଲୁ।

ମେହବୁବା ଜମ୍ମୁ କଶ୍ମୀର ପ୍ରଶାସନକୁ ସମାଲୋଚନା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅଧୀନରେ ପ୍ରାୟ ୮୫୦ ପାଖାପାଖି କର୍ମଚାରୀଙ୍କୁ ଜମ୍ମୁକୁ ସ୍ଥାନାନ୍ତର କରାଯାଇଥିବା ପ୍ରଚାର ହେଉଛି। କିନ୍ତୁ, ସେମାନେ ସମସ୍ତେ ବିଜେପି ନେତାଙ୍କ ସମ୍ପର୍କୀୟ କିମ୍ବା ବନ୍ଧୁ ବୋଲି ଜଣାପଡ଼ିଛି।

Related Posts