
ଭୋପାଳ: ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ (ଆଇପିଏଲ୍) କ୍ରିକେଟ୍ ମ୍ୟାଚ୍ରେ ‘ବେଟିଙ୍ଗ୍’ରେ (ବାଜି) ଲଗାଇ ସର୍ଵହରା ହୋଇପଡିଲେ ମଧ୍ୟପ୍ରଦେଶର ଜଣେ ପୋଷ୍ଟ୍ମାଷ୍ଟର୍ | ପ୍ରାୟ ୧ କୋଟି ଟଙ୍କା ବାଜି ଲଗାଇ ସେ ସମସ୍ତ ଟଙ୍କାକୁ ହାରିଛନ୍ତି । ୨୪ଟି ପରିବାରର ଜମା ଅର୍ଥରାଶିକୁ ସେ ‘ଆଇପିଏଲ୍’ ‘ବେଟିଙ୍ଗ୍’ରେ (ବାଜି) ଲଗାଇଥିଲେ। ଏହି ଅର୍ଥ ସାଗର ଜିଲ୍ଲାର ବିନା ଉପ-ଡାକଘରେ ‘ଫିକ୍ସଡ୍ ଡିପୋଜିଟ୍’ ହୋଇଥାଆନ୍ତା ବୋଲି ପୁଲିସସୂତ୍ରରୁ ଜଣାପଡ଼ିଛି।
ପୁଲିସ ଆଗରେ ଦୋଷ ସ୍ବୀକାର କରିବା ପରେ ବିନା ଉପ-ଡାକଘରର ପୋଷ୍ଟ୍ମାଷ୍ଟର୍ ବିଶାଳ ଅହିୱାର୍ଙ୍କୁ ମେ ୨୦ ତାରିଖ ଦିନ ବିନା ସରକାରୀ ରେଳବାଇ ପୁଲିସ (ଜିଆର୍ପି) ଗିରଫ କରିଛି।
ପୁଲିସ କହିବା ଅନୁସାରେ, ଅଭିଯୁକ୍ତ ପୋଷ୍ଟ୍ମାଷ୍ଟର୍ ପ୍ରକୃତ ପାସ୍ବୁକ୍ରେ ‘ଜାଲ୍ ଫିକ୍ସଡ୍ ଡିପୋଜିଟ୍’ ଆକାଉଣ୍ଟ୍ ଖୋଲିବା ସହ ଗତ ଦୁଇ ବର୍ଷ ହେବ ସମସ୍ତ ଅର୍ଥ ‘ଆଇପିଏଲ୍’ କ୍ରିକେଟ୍ ‘ବେଟିଙ୍ଗ୍’ରେ (ବାଜି) ଲଗାଇ ଦେଇଥିଲେ।
ଗିରଫ ପୋଷ୍ଟ୍ମାଷ୍ଟର୍ ବିଶାଳ ଅହିୱାର୍ଙ୍କ ବିରୋଧରେ ଦଫା ୪୨୦ ଓ ୪୦୮ ଲାଗୁ କରାଯାଇଛି। ତଦନ୍ତ ଫଳାଫଳ ବାହାରିଲେ ତାଙ୍କ ବିରୋଧରେ ଆହୁରି ଦଫା ଲାଗିପାରେ ବୋଲି ବିନା ‘ଜିଆର୍ପି’ ଥାନାର ଭାରପ୍ରାପ୍ତ ଅଜୟ ଧୁର୍ବେ କହିଛନ୍ତି।
ଧୁର୍ବେ ଆହୁରି ମଧ୍ୟ କହିଛନ୍ତି, ବିନା ପୋଷ୍ଟ୍ ଅଫିସ୍ରେ ନିଯୁକ୍ତି ପାଇବା ଆଗରୁ ବିଶାଳ ସାଗର ଜିଲ୍ଲାର ଖିମଲାସା ଉପ-ଡାକଘରେ ନିଯୁକ୍ତ ହୋଇଥିଲେ। ଆର୍ଥିକ ଅନିୟମିତତା ଅଭିଯୋଗରେ ସେଠାରୁ ସେ ନିଲମ୍ବିତ ହୋଇଥିଲେ।