ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ହ୍ୟାଟ୍ରିକ; କଂଗ୍ରେସକୁ ଜବରଦସ୍ତ ଝଟକା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ବଡ ବିଜୟ | କଂଗ୍ରେସକୁ ଜବରଦସ୍ତ ଝଟକା | ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ହ୍ୟାଟ୍ରିକ | ସବୁ ଏକଜିଟ ପୋଲକୁ ଭୁଲ ପ୍ରମାଣିତ କରି ହିନ୍ଦୀ ଭାଷୀ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆସିବାକୁ ଯାଉଛି ବିଜେପିର ସରକାର | ଆଜି ସକାଳୁ ଆରମ୍ଭ ହୋଇଥିବା ଭୋଟ ଗଣତିରେ କଂଗ୍ରେସ ବିଜେପି ଠାରୁ ବହୁ ପଛରେ ପଡି ଯାଇଛି |

ତିନି ରାଜ୍ୟ ମଧ୍ୟରୁ ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସର ସରକାର ରହିଥିଵା ବେଳେ ମଧ୍ୟପ୍ରଦେଶରେ ବିଜେପି ସରକାର ଥିଲା | ହେଲେ ଏପର୍ଯ୍ୟନ୍ତର ଟ୍ରେଣ୍ଡ ଅନୁସାରେ ସବୁ ରାଜ୍ୟରେ କଂଗ୍ରେସ ପଛରେ ପଡିଯାଇଛି | ବିଜେପି ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଗଡକୁ ଭାଙ୍ଗି ଧସେଇ ପଶିଥିବାବେଳେ ମଧ୍ୟପ୍ରଦେଶରେ ଏକତରଫା ଭାବେ ପୁଣି ସରକାରକୁ ଆସିବାକୁ ଯାଉଛି | କଂଗ୍ରେସ ଛତିଶଗଡ଼ରେ ଭୁପେଶ ବଘେଲା, ମଧ୍ୟପ୍ରଦେଶରେ କମଳ ନାଥ ଓ ରାଜସ୍ଥାନରେ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଚେହରା କରି ମୈଦାନକୁ ଓଲ୍ହାଇଥିବା ବେଳେ ବିଜେପି କିନ୍ତୁ ଭିନ୍ନ ରଣନୀତି ଆପଣାଇଥିଲା | ଦଳ କୌଣସି ରାଜ୍ୟରେ ଆଞ୍ଚଳିକ ଚେହେରା ନଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରାକୁ ନେଇ ଲଢ଼ିଥିଲେ | ମୋଦୀ ମଧ୍ୟ ଜୋରଦାର ପ୍ରଚାର କରିଥିଲେ | ବିଜେପି ପକ୍ଷରୁ ବହୁ ସାଂସଦଙ୍କୁ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବାକୁ ମୈଦାନକୁ ଓଲ୍ହାଯାଇଥିଲା | ଅନ୍ୟପଟେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଚାର ମଙ୍ଗ ସମ୍ଭାଳିଥିଲେ | ଉଭୟ ଦଳ ପକ୍ଷରୁ ଜନତାଙ୍କୁ ବହୁ ଗ୍ୟାରେଣ୍ଟି ମଧ୍ୟ ଦିଆଯାଇଥିଲା |

ଆଉ ନିର୍ବାଚନ ପରବର୍ତ୍ତୀ ଏକଜିଟ ପୋଲ ମଧ୍ୟ ଦୁଇ ଦଳ ମଧ୍ୟରେ କଡା ଫାଇଟ ନେଇ ସଂକେତ ଦେଇଥିଲା | ହେଲେ ଫଳ ବାହାରିଲା ବେଳକୁ ସମ୍ପୂର୍ଣ ଓଲଟା ସ୍ଥିତି ଦେଖିବାକୁ ମିଳିଛି | ହିନ୍ଦୀ ହାର୍ଟ ଲ୍ୟାଣ୍ଡର ତିନି ରାଜ୍ୟକୁ ବିଜେପି ହାତେଇବାକୁ ଯାଉଛି | ଆଉ କିଛି ସମୟ ମଧ୍ୟରେ କେଉଁ ଦଳ କେଉଁ ରାଜ୍ୟରେ କେତେ ଆସନ ହତାଉଛି ତାହା ସ୍ପଷ୍ଟ ହୋଇଯିବ | କିନ୍ତୁ ତିନି ରାଜ୍ୟରେ ବିଜେପି ସରକାର ଆସିବା ଏକ ପ୍ରକାର ସ୍ପଷ୍ଟ ହୋଇଛି | ଏଭଳି ସ୍ଥିତିରେ ତିନି ରାଜ୍ୟରେ ବିଜେପି କାହାକୁ କାହାକୁ ମୁଖ୍ୟମନ୍ତ୍ରୀ କରୁଛି ତାହା ଦେଖିବାକୁ ବାକି ରହିଲା |

Related Posts