କେସିଆର ଚିତପଟାଙ୍ଗ: ବିଆରଏସ ଗଡ଼ରେ ଧସେଇ ପଶିଲା କଂଗ୍ରେସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନାରେ ଶାସକ ବିଆରଏସ ଚିତପଟାଙ୍ଗ | ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଜବରଦସ୍ତ ଝଟକା | କେସିଆରଙ୍କ ଗଡରେ ବିଜୟ ବାନା ଉଡ଼ାଇବାକୁ ଯାଉଛି କଂଗ୍ରେସ | ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳ ଆସୁଥିବା ବେଳେ ଏକତରଫା ବିଜୟ ଆଡକୁ ବଢୁଛି କଂଗ୍ରେସ | ଦୀର୍ଘ 10 ବର୍ଷର କେ.ଚନ୍ଦ୍ରଶେଖର ରାଓଙ୍କ ଶାସନର ଅନ୍ତ ଘଟାଇ ସରକାର ଗଢ଼ିବ କଂଗ୍ରେସ | ତେଲେଙ୍ଗାନାର ଏକଜିଟ ପୋଲ ରିପୋର୍ଟ ମଧ୍ୟ କିଛି ଏଭଳି ଇସାରା ଦେଇଥିଲା |

ତେବେ ତେଲେଙ୍ଗାନାରେ ମୋଟ 119 ଟି ବିଧାନସଭା ଆସନ ରହିଥିବାବେଳେ ଏପର୍ଯ୍ୟନ୍ତ କଂଗ୍ରେସ 65, ବିଆରଏସ 39 ଓ ବିଜେପି ମାତ୍ର 9 ଟି ଆସନରେ ଆଗୁଆ ରହିଛି | ବର୍ତ୍ତମାନ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ କଂଗ୍ରେସ ଭାରି ବହୁମତ ସହ ସରକାର ଗଢିବାକୁ ଯାଉଛି | ସେପଟେ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଡବଲ ଝଟକା ଲାଗିଛି | କାମାରେଡ୍ଡୀ ଆସନରେ ଖୋଦ କେସିଆର ପଛୁଆ ଚାଲିଛନ୍ତି | ତେବେ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା କେସିଆର ଗଜବେଲ୍‌ ଆସନରେ କିନ୍ତୁ ଆଗୁଆ ଅଛନ୍ତି | ହେଲେ ଦୁଇଟି ଆସନରୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରିବା ତାଙ୍କ ପାଇଁ ଓ ଦଳ ପାଇଁ ଘାତକ ସାବ୍ୟସ୍ତ ହେଲା ବୋଲି କୁହାଯାଉଛି |

ସେପଟେ 10 ବର୍ଷର ସରକାର ବିରୋଧରେ ରହିଥିବା ଆଣ୍ଟିଇନକଂବେନ୍ସୀର ଫାଇଦା କଂଗ୍ରେସକୁ ମିଳିଥିବା କୁହାଯାଉଛି | ତେବେ ପୂର୍ବରୁ କେସିଆରଙ୍କ ଦଳର ନାମ ତେଲେଙ୍ଗାନା ରାଷ୍ଟ୍ର ସମିତି ଥିବାବେଳେ ନିକଟରେ ସେ ନିଜ ଦଳକୁ ରାଷ୍ଟ୍ରୀୟ ଦଳ କରିବାକୁ ନାମ ପରିବର୍ତ୍ତନ କରି ଭାରତ ରାଷ୍ଟ୍ର ସମିତି କରିଥିଲେ | ହେଲେ ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବାକୁ ସ୍ବପ୍ନ ଦେଖିଥିବା କେସିଆର, ନିଜ ରାଜ୍ୟରେ ବଡ଼ ପରାଜୟର ସାମ୍ନା କରିଛନ୍ତି | ଏଭଳି ସ୍ଥିତି ରେ ତାଙ୍କର ପରବର୍ତ୍ତୀ ରାଜନୈତିକ ଚାଲ କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି | ସେପଟେ ବଡ଼ ବିଜୟ ପରେ କଂଗ୍ରେସ ତେଲେଙ୍ଗାନାରେ କାହାକୁ ମୁଖ୍ୟମନ୍ତ୍ରୀ କରୁଛି ତାକୁ ମଧ୍ୟ ସମସ୍ତେ ଅପେକ୍ଷା କରିଛନ୍ତି |

Related Posts