ବିଜେପିର ୩୦୦ ସିଟ୍‌ର ଅହଙ୍କାର ଭାଙ୍ଗିବ, ୨୦୨୪ରେ ‘ଖେଲା ହୋବେ’: ମମତା ବାନାର୍ଜୀ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ତ ପୂର୍ବରୁ ଶାସକ ବିଜେପି ଓ ବିରୋଧୀଂକ ମଧ୍ୟରେ ଆରମ୍ଭ ହୋଇଯାଇଛି ନିର୍ବାଚନ ରଣନୀତି ପ୍ରସ୍ତୁତି। କିଏ ଦେବ କାହାକୁ କଡା ଟକ୍କର। କଣ ସମସ୍ତ ବିରୋଧୀ ଦଳ ଏକତ୍ର ହୋଇ ବିଜେପିକୁ ହରାଇବାକୁ ରଣନୀତି ପ୍ରସ୍ତୁତ କରିବେ ନା ଗୋଷ୍ଠୀ ଗୋଷ୍ଠୀ ହୋଇ ଲଢେଇ କରିବେ। ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଏ ପର୍ଯ୍ୟନ୍ତ ସମସ୍ତ ବିରୋଧୀ ଦଳ ଗୋଟିଏ ଛତା ତଳେ ଆସି ନାହାନ୍ତି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଙ୍କେତ ଦେଇଛନ୍ତି ଯେ, ନିଜର ଖେଲା ହେବୋ ଅଭିଯାନରେ ଟିଏମସି ୨୦୨୪ ନିର୍ବାଚନରେ ବିରୋଧୀଙ୍କ ନେତୃତ୍ଵ ନେବ। ଆଉ ଏଥିରେ ମମତାଙ୍କ ସହ ରହିବେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। ଏହି ଚାରି ପାର୍ଟି ମିଶି ବିଜେପି ନିକଟରୁ ୧୦୦ ସିଟ୍‌ ସହଜରେ ଛଡାଇ ଆଣି ପାରିବେ ବୋଲି ମମତା ବାନାର୍ଜୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଟିଏମସି ପ୍ରମୁଖ କହିଛନ୍ତି, ମୁଁ, ନୀତିଶ କୁମାର, ହେମନ୍ତ ସୋରେନ ଏବଂ ଅଖିଳେଶ ଯାଦବଙ୍କ ସହ ଅନେକ ନେତା ୨୦୨୪ରେ ଏକ ସଙ୍ଗେ ଲଢିବୁ। ସମସ୍ତ ବିରୋଧୀ ଦଳ ବିଜେପିକୁ ହରାଇବା ପାଇଁ ହାତ ମିଳାଇବେ। ଗୋଟିଏ ପଟେ ଆମେ ସମସ୍ତେ ରହିବୁ ଏବଂ ଅନ୍ୟପଟେ ବିଜେପି ଏକାକୀ ରହିବ। ବିଜେପିର ୩୦୦ ସିଟ୍‌ର ଅହଙ୍କାରକୁ ଭାଙ୍ଗିବୁ। ୨୦୨୪ରେ ‘ଖେଲା ହୋବେ’। ମମତାଙ୍କ ପୂର୍ବରୁ ସୁଦୀପ ବାନାର୍ଜୀ, ଅଭିଷେକ ବାନାର୍ଜୀ ଏବଂ କଲ୍ୟାଣ ବାନାର୍ଜୀଙ୍କ ସହିତ ଟିଏମସିର ସମସ୍ତ ନେତା ନିଜ ଭାଷଣରେ କହିଛନ୍ତି, ବିରୋଧୀ ଦଳ ମମତା ବାନାର୍ଜୀଙ୍କ ନେତୃତ୍ଵରେ ବିଜେପି ବିରୋଧରେ ଲଢିବ।

ମମତା କହିଛନ୍ତି, ବିଜେପି ସର୍ବଦା କହି ଆସିଛି ଯେ ତା ପାଖରେ ୩୦୦ ସିଟ୍ ରହିଛି। ସେମାନଙ୍କୁ ମନେ ରଖିବା ଉଚିତ୍ ଯେ, ରାଜୀବ ଗାନ୍ଧୀଙ୍କ ନିକଟରେ ବି ୪୦୦ ସିଟ୍ ଥିଲା, ମାତ୍ର ପରବର୍ତ୍ତୀ ନିର୍ବାଚନରେ କଂଗ୍ରେସ ପରାଜିତ ହୋଇଥିଲା। ବିଜେପି ମଧ୍ୟ ହାରିବ। ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବିଜେପି ୧୦୦ ସିଟ୍ ହରାଇବ। ଦେଶର ଅନ୍ୟ ଭାଗରେ ମଧ୍ୟ ଅନେକ ପାର୍ଟି ଆମ ସହିତ ଆସିବେ।

ମମତା ବାନାର୍ଜୀ କେନ୍ଦ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ନୀତିର ଆଲୋଚନା କରି କହିଛନ୍ତି, ବିଜେପି ଦେଶରେ ବେରୋଜଗାରୀ, ଗ୍ୟାସ୍ ଦର ସହିତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କରିଛି। ଆମକୁ ଏବେ ମଧ୍ୟ ବୁଲେଟ୍ ଟ୍ରେନ ଦେଖିବାକୁ ମିଳୁ ନାହିଁ, ମାତ୍ର ଆମେ ବୁଲେଟ୍ ଟ୍ରେନ ଗତିରେ କେମିତି କେନ୍ଦ୍ର ସରକାରଙ୍କ ଦ୍ଵାରା ମିଥ୍ୟା ପ୍ରଚାର କରାଯାଉଛି ତାହା ଦେଖି ପାରୁଛୁ। ପ୍ରଧାନମନ୍ତ୍ରୀ କେବଳ ମନ କି ବାତ କରୁଛନ୍ତି। ହେଲେ ତାଙ୍କ କାମ ଆଉ କିଛି ଦର୍ଶାଉଛି ବୋଲି ମମତା ବାନାର୍ଜୀ କହିଛନ୍ତି ।

Related Posts