ଲାଲୁ ଓ ନୀତିଶଙ୍କ ଶାସନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ: ପ୍ରଶାନ୍ତ କିଶୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏବେ ବିହାର ରାଜନୀତିରେ ସକ୍ରିୟ ଅଛନ୍ତି। ସେ ଲଗାତାର ଭାବରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଏହି କ୍ରମରେ ଶୁକ୍ରବାର ଦିନ ବିହାରର କଟିହାର ଟାଉନ ହଲରେ ଏକ ସଭାକୁ ସମ୍ବୋଧିତ କରି ଉଭୟ ଲାଲୁ ଯାଦବ ଓ ନୀତିଶ କୁମାରଙ୍କୁ ସମାଲୋଚନା କରିଛନ୍ତି ପ୍ରଶାନ୍ତ। ଏହି ସଭାରେ ସେ ଲାଲୁ ଓ ନୀତିଶଙ୍କ ସରକାରଙ୍କୁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଲାଲୁଙ୍କ ସରକାରରେ ଶାସନ ଗୁଣ୍ଡା ବଦମାସଙ୍କ ହାତରେ ଥାଏ ଆଉ ନୀତିଶଙ୍କ ସରକାରରେ ଶାସନ ଅଧିକାରୀଙ୍କ ହାତରେ। ଉଭୟ ତତ୍ୱ ସାଧାରଣ ଲୋକଙ୍କ ଶୋଷଣ କରନ୍ତି ବୋଲି ପ୍ରଶାନ୍ତ କିଶୋକର କହିଛନ୍ତି।

ଜନସଭାକୁ ସମ୍ବୋଦିତ କରିବା ବେଳେ ସେ ବିହାରରେ ଅକ୍ଟୋବର ୨ ତାରିଖରୁ ଏକ ପଦଯାତ୍ରାର ଆୟୋଜନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ପଦଯାତ୍ରା ଗାନ୍ଧିଙ୍କ ଚମ୍ପାରନ ଆଶ୍ରମରୁ ଆରମ୍ଭ ହେବ ବୋଲି ପ୍ରଶାନ୍ତ କହିଛନ୍ତି। ଏହି ପଦଯାତ୍ରାରେ ସେ ବିହାରର ସବୁ ସହର, ସବୁ ବ୍ଲକ୍ ଓ ପଞ୍ଚାୟତକୁ ଯିବେ ବୋଲି କହିଛନ୍ତି। ଏହି ଯାତ୍ରାରେ ସେ ୩୫ଶହ କିଲୋମିଟର ଅତିକ୍ରମ କରିବେ ବୋଲି ସୂଚନା ଦେଇଛନ୍ତି।

ତେବେ ଏହି ସଭା ପରେ ନୀତିଶ କୁମାର ଦେଶରେ ବିରୋଧୀଙ୍କୁ ଏକଜୁଟ କରିବାରେ ସକ୍ଷମ ହେବେ କି ବୋଲି ପ୍ରଶାନ୍ତ କିଶୋରଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ପ୍ରଶାନ୍ତ କହିଛନ୍ତି ଯେ, ଏହି ପ୍ରଶ୍ନର ଉତ୍ତର ସମୟ କହିବ। ତେବେ ପ୍ରଶାନ୍ତ କିଶୋର ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଥମେ ଦେଖିବାର କଥା ହେଲା ନୀତିଶଙ୍କ କଥାରେ କେଉଁମାନେ ଏକଜୁଟ ହେଉଛନ୍ତି। ମାସକ ପୂର୍ବରୁ ନୀତିଶ କୁମାର ବିଜେପି ସହିତ ଥିଲେ, ମାସକ ତଳେ ପକ୍ଷରେ ଥିବା ନେତା ମାସକ ପରେ ବିପକ୍ଷରେ, ଏଥିରେ ଜନତାଙ୍କର କଣ ଦଳ ମାନଙ୍କ ଉପରେ ଭରସା ରହିବକି ବୋଲି ପ୍ରଶାନ୍ତ କିଶୋର ପ୍ରଶ୍ନ କରିଛନ୍ତି। ମାସକ ପୂର୍ବେ ନୀତିଶ ବିଜେପିକୁ ଦେଶରେ କେହି ହରାଇ ପାରିବେନି ବୋଲି କହୁଥିଲେ ଏବେ ନୀତିଶ ବିରୋଧୀ ମାନଙ୍କୁ ଏକଜୁଟ କରି ବିଜେପିକୁ ହରାଇ ଦେବୁ ବୋଲି କହୁଛନ୍ତି । ଏହାର ଅର୍ଥ କଣ ହୋଇପାରେ ବୋଲି ପ୍ରଶାନ୍ତ କିଶୋର ପଚାରିଛନ୍ତି।

Related Posts