ବିଜେଡିର ପ୍ରାର୍ଥୀ ତାଲିକା କହୁଛି; ନେତା ପାରିବାରର ବଳ-ବିଜୁ ଜନତା ଦଳ

ଭୁବନେଶ୍ୱର,୧୮/୪ (ସତ୍ୟପାଠ ବ୍ୟୁରୋ): ଚଳିତ ୨୦୨୪ ନିର୍ବାଚନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଆଉ ଏହି ପ୍ରାର୍ଥୀ ତାଲିକାକୁ ଭଲଭାବେ ତର୍ଜମା କଲେ ଜଣାପଡ଼ିବ ଯେ, ରାଜନୈତିକ ପରିବାରରୁ ପାଖାପାଖି ଏକ ଚତୁର୍ଥାଂଶ ବା ୩୩ ଜଣଙ୍କୁ ପ୍ରାର୍ଥୀ କରିଛି ଦଳ। ଆଉ ଏହା ସ୍ପଷ୍ଟ କରୁଛି ଯେ, ବିଜୁ ଜନତା ଦଳ ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ରକ୍ତରେ ହିଁ ପାରିବାରବାଦ୍ ରହିଛି। କାରଣ ନିଜେ ନବୀନ ପରିବାରବାଦ୍ ର ସବୁଠାରୁ ବଡ ଉଦାହରଣ। ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ, ତାଙ୍କ ପୁଅ ହିସାବରେ ସେ ରାଜନୀତିକୁ ଆସିଥିଲେ। ସେପଟେ ବୁଧବାର ବିଜେଡି ଜାରି କରିଥିବା ଏହାର ପଞ୍ଚମ ପ୍ରାର୍ଥୀ ତାଲିକାକୁ ଯଦି ତର୍ଜମାକୁ ନିଆଯାଏ ତାହେଲେ ଚିତ୍ରକୋଣ୍ଡାରୁ ପ୍ରାର୍ଥୀ ହୋଇଥିବା ଲକ୍ଷ୍ମୀପ୍ରିୟା ନାୟକ ହେଉଛନ୍ତି ପୂର୍ବତନ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କର ଭାଣିଜୀ। ସେହିପରି ଦେବଗଡ଼ରୁ ପ୍ରାର୍ଥୀ ହୋଇଥିବା ଅରୁନ୍ଧତୀ ଦେବୀ, ବର୍ତ୍ତମାନ ସମ୍ବଲପୁରର ସାଂସଦ ରହିଥିବା ନୀତେଶ ଗଙ୍ଗଦେବଙ୍କ ପତ୍ନୀ। ସେହିପରି ଜୟପୁରରୁ ପ୍ରାର୍ଥୀ ହୋଇଥିବା ଇନ୍ଦିରା ନନ୍ଦ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ପତ୍ନୀ। ସାନଖେମୁଣ୍ଡିରୁ ପ୍ରାର୍ଥୀ ହୋଇଥିବା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ହେଉଛନ୍ତି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ। ସେପଟେ ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ଙ୍କୁ ପୁଣି ପଦ୍ମପୁରରୁ ପ୍ରାର୍ଥୀ କରିଛି ଦଳ।

ଏ ତ ଗଲା ପଞ୍ଚମ ତାଲିକାର ପରିବାରବାଦର ଚିତ୍ର। ପୂର୍ବରୁ ଘୋଷଣା ହୋଇଥିବା ଚାରି ତାଲିକାରେ ନଜର ପକାଇଲେ, ପାରାଦୀପରୁ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତଙ୍କ ବୋହୁ ତଥା ବର୍ତ୍ତମାନ ବିଧାୟକ ଥିବା ସମ୍ବିତ ରାଉତରାୟଙ୍କ ପତ୍ନୀ। ସେହିପରି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାଁରେ ବିଭିନ୍ନ ବିବାଦ ରହିଥିବାରୁ ଏଥର ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଏହାବାଦ୍ ବାଲେଶ୍ଵରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ବଦଳରେ ଏଥର ତାଙ୍କ ପତ୍ନୀ ସୁଭାଷିନୀ ଜେନାଙ୍କୁ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଛି ଦଳ। ତେବେ ଏ ସମସ୍ତେ ଏଥର ବିଜେଡିର ପରିବାରବାଦ୍ କୋଟାରୁ ପ୍ରଥମଥର ପାଇଁ ମଇଦାନ ଙ୍କୁ ଓହ୍ଲାଇଛନ୍ତି। ଏମାନଙ୍କ ବ୍ୟତୀତ ପୂର୍ବରୁ ଏହି କୋଟରେ ନିର୍ବାଚନ ଲଢ଼ି ସାରିଥିବା, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସ୍ ଙ୍କ ଝିଅ ଦିପାଳୀ ଦାସ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକ ବିଶ୍ଵାଳ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବିରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରିତା ସାହୁ ଙ୍କୁ ମଧ୍ୟ ଚଳିତ ଥର ଟିକେଟ ଦେଇଛି ବିଜେଡି।

ଏସବୁ ଥିଲେ କିଛି ପ୍ରମୁଖ ରାଜନୈତିକ ପରିବାରରୁ ଆସିଥିବା ପ୍ରାର୍ଥୀ। ଏମାନଙ୍କ ବ୍ୟତୀତ ମଧ୍ୟ ଅନେକ ପୂର୍ବତନ ବିଧାୟକଙ୍କ ପୁଅ, ଝିଅ ଓ ପତ୍ନୀଙ୍କୁ ଏଥର ପ୍ରାର୍ଥୀ କରିଛି ବିଜେଡି। ମୁଖ୍ୟତଃ ବିଭିନ୍ନ ସଙ୍ଗୀନ ମାମଲାରେ ଫସିଥିବା ନେତା ତଥା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିବାଦୀୟ ହୋଇ ଲୋକପ୍ରିୟତା ହରାଇଥିବା ନେତାଙ୍କ କ୍ଷେତ୍ରରେ ବିଜେଡି ଏହି ପରିବାରବାଦ୍ ଫର୍ମୁଲା ଆପ୍ଲାଏ କରିଛି। ତେବେ ସେ ଯାହାବି ହେଉ ନା କାହିଁକି ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, 24 ବର୍ଷ ଶାସନରେ ରହିବା ପରେ ମଧ୍ୟ ବିଜେଡି ଏପର୍ଯ୍ୟନ୍ତ ନିଜର କୌଣସି ତୃଣମୂଳ ସ୍ତରର କର୍ମୀଙ୍କୁ ନେତା ଟିଏ କରି ପାରିଲା ନାହିଁ। ଆଉ ରାଜନୈତିକ ପରିବାର ମଧ୍ୟ ଟିକେଟ ବାଣ୍ଟି ସନ୍ଦେଶ ଦେଲା ଯେ, ବିଜେଡିରେ କେବଳ ନେତାଙ୍କ ଛୁଆ ହିଁ ନେତା ହେବେ, ଆଉ କର୍ମୀ ଏଠି ଖାଲି ପତାକା ଧରିବେ।

Related Posts