ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବୋର୍ଡ ଓ ନିଗମଗୁଡ଼ିକରେ ରାଜନୈତିକ ନେତା ତଥା ଅନ୍ୟମାନଙ୍କୁ ଥଇଥାନ କରିବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। ଏହି କ୍ରମରେ ବିଭିନ୍ନ ରାଜ୍ୟ ସରକାରୀ ଉଦ୍ୟୋଗ ଗୁଡ଼ିକରେ ହୋଇଥିବା ନିଯୁକ୍ତି ଓ ଖାଲିଥିବା ପଦବୀକୁ ନେଇ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ସରକାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ସମସ୍ତ ସରକାରୀ ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଚିଠି ଲେଖି ସଦ୍ୟତନ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରୀ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଲିପ୍ସା ଦାସଙ୍କ ସ୍ୱାକ୍ଷରିତ ଚିଠି (ନଂ-୧୩୨୭/PE) ଅନୁଯାୟୀ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (GA & PG) ବିଭାଗର ପତ୍ର ସଂଖ୍ୟା ୧୪୫୦୩/Gen ଅନୁସାରେ ଏହି ସୂଚନା ମାଗିଛନ୍ତି। ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ଜରୁରୀ ବୋଲି ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ, ପ୍ରାୟ ୪୪ଟି ସରକାରୀ ଉଦ୍ୟୋଗକୁ ଏହି ତଥ୍ୟ ମାଗିଛି ସାଧାରଣ ପ୍ରଶାସନ ବିଭାଗ। ବିଶେଷ କରି ୨୦୨୪ ଜୁନ୍ ୧୨ ତାରିଖରୁ ୨୦୨୬ ଏପ୍ରିଲ ୩୦ ମଧ୍ୟରେ କେଉଁ ସବୁ ପଦବୀରେ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି, ସେ ସମ୍ପର୍କରେ ସବିଶେଷ ବିବରଣୀ ଲୋଡ଼ାଯାଇଛି।
ଏହା ସହିତ ଏହିସବୁ ସଂସ୍ଥାଗୁଡ଼ିକରେ ବର୍ତ୍ତମାନ କେତେ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ଏବଂ କେଉଁ କେଉଁ ପଦବୀ ଖାଲି ପଡ଼ିଛି, ତାର ମଧ୍ୟ ତଥ୍ୟ ମଗାଯାଇଛି। ନିର୍ଦ୍ଧାରିତ ଫର୍ମାଟ୍ରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ଇ-ମେଲ୍ ମାଧ୍ୟମରେ ପଠାଇବାକୁ ସମସ୍ତ ରାଜ୍ୟ ସରକାରୀ ଉଦ୍ୟୋଗର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆଗାମୀ ଦିନରେ ବୋର୍ଡ ଓ ନିଗମଗୁଡ଼ିକରେ ବଡ଼ଧରଣର ନୂତନ ନିଯୁକ୍ତି ଓ ରାଜନୈତିକ ସ୍ତରରେ ଥଇଥାନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।
