ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବୋର୍ଡ ନିଗମ ନିଯୁକ୍ତି ନେଇ ଫିଟିଲା ବାଟ। ଦୁଇ ବର୍ଷ ହେଲା ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଛି। ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପବ୍ଲିକ୍ ଏଣ୍ଟରପ୍ରାଇସ୍ ବିଭାଗ ପକ୍ଷରୁ ନିଯୁକ୍ତି ନେଇ ଚିଠି ଜାରି ହୋଇଛି। ବିଭାଗ ବୋର୍ଡ-ନିଗମର ଖାଲି ଥିବା ପଦବୀର ତଥ୍ୟ ଦେଇଛି। ଜୁନ ୩୦ ସୁଦ୍ଧା ୧ ହଜାର ୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛି ବିଭାଗ। ବିଭିନ୍ନ ବିଭାଗ ଅଧୀନରେ ଆସୁଥିବା ବୋର୍ଡ ନିଗମରେ କେତେ ପଦବୀ ଖାଲି ଅଛି ଏବଂ ନୂଆ ସରକାର ଆସିବା ପରେ କେତେ ନିଯୁକ୍ତି ହୋଇଛି ତାର ତଥ୍ୟ ମାଗିଥିଲେ ସରକାର।
ନିର୍ଦ୍ଦେଶ ଅନୁସାରେ ୧୭ଟି ବିଭାଗରେ ୩୨ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଛି । ନୂଆ ସରକାର ଆସିବା ପରେ ୩୨ଟି ବୋର୍ଡ ନିଗମରେ ୬୭୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ୧୭ ଟି ବୋର୍ଡ ନିଗମରେ ଜଣେ ବି ନିଯୁକ୍ତ ହୋଇ ନାହାନ୍ତି। ଦୁଇ ବର୍ଷ ହେଲା ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ଖୁବଶୀଘ୍ର ଏହାକୁ ପୂରଣ କରାଯିବ ବୋଲି ସୂଚନା ମିଳିଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା କୁହାଯାଉଥିଲା।
