ସମୁଦ୍ରର ଛାତି ଚିରିଥିବା ଓଡିଆ ଆଜି ସମୁଦ୍ରକୁ ଭୟ କରୁଛି

ଦିନେ ତେର ନଦୀ ସାତ ଦରିଆ ପାର ହୋଇ ଓଡିଆ ପୁଅ ବାଣିଜ୍ୟ କରିବାକୁ ଯାଉଥିଲେ। ସମୁଦ୍ରର ଛାତି ଚିରି ଦରିଆ ସେପାରିରୁ ଘରକୁ ଫେରୁଥିଲେ ଧନଧାନ୍ୟ ନେଇ। ହେଲେ ଆଜି ସେଇ ସମୁଦ୍ରକୁ ଭୟ ଲାଗୁଛି। ସମୁଦ୍ର କୂଳ ବୁଲିବାକୁ ଗଲେ ବି ପାଣି ପାଖକୁ ଯାଇ ହେଉନି। ଓଡିଶାରେ ଓଡିଆ ଧୀବରଙ୍କ ସଂଖ୍ୟା କମୁଛି। ଏ ତମାମ ଘଟଣା ବୟାନ କରୁଛି, ଇତିହାସ ଯେଉଁ ଯାଏ ଲେଖାଯାଇଛି ସେ ଯାଏ ଓଡିଆ ପୁଅ ସାଗର ଲଂଘନ କରୁଥିଲା ହେଲେ ସମୁଦ୍ର ଠାରୁ ତାକୁ କିଏ ଦୂରେଇ ଦେଲା ତା’ର ଇତିହାସ ଲେଖିବା ଆବଶ୍ୟକ ପଡୁଛି। ସ୍ଥାନୀୟ ନାହାମଙ୍ଗ ପାଟଣାରେ ଭାର୍ଗବୀ ୟୁଥ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ବୋଇତ ବନ୍ଦାଣ ଉତ୍ସବର ଉଦଯାପନୀ ସଂଧ୍ୟାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏଭଳି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ। ଯାହାକି ଉପସ୍ଥିତ ଦର୍ଶକଙ୍କୁ କିଛି ସମୟ ପାଇଁ ଗମ୍ଭୀର କରି ପକାଇଥିଲା।

ମୁଖ୍ୟ ଅତିଥି ଭାବେ ରାଜ୍ୟ ହୋମିଓପାଥି ଚିକିତ୍ସକ ସଂଘ ସଭାପତି ଡଃ ନେତ୍ରାନନ୍ଦ ଭୋଇ ଯୋଗଦେଇ ଉତ୍କଳୀୟ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପିପିଲି ଶାଖାର ମ୍ୟାନେଜର ସୂର୍ଯ୍ୟ ରଥ, ରାଜଧାନୀ କଲେଜର ସହକାରୀ ପ୍ରାଧ୍ୟାପକ ଶୁଭ୍ରାଂଶୁ କୁମାର ବେହେରା, ସାମାଜିକ କର୍ମୀ ଅନୁପ ପରିଡା ଓ ଅଜୟ କୁମାର ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଦୁଇଦିନିଆ କାର୍ଯ୍ୟକ୍ରମରେ ସମାଜସେବୀ ଋତୁପର୍ଣ୍ଣା ସାସମଲ, ଛାତ୍ରୀ ନମିତା ଖଟୋଇ, ଡାକ୍ତର ନେତ୍ରାନନ୍ଦ ଭୋଇ, ଆତ୍ମହତ୍ୟା ଉଦ୍ୟମ କରୁଥିବା ବୃଦ୍ଧଙ୍କୁ ଉଦ୍ଧାର କରିଥିବା ତିତିପ ସରପଞ୍ଚ ରମେଶ ମହାପାତ୍ର,ସମାଜସେବୀ ସୁଶାନ୍ତ କୁମାର ସାହୁ, ଯୁବ ଉଦ୍ୟୋଗପତି ଶ୍ରୀକାନ୍ତ ବିଶ୍ବାଳ, ସମାଜସେବୀ ରାମକୃଷ୍ଣ ମହାନ୍ତି, କୃଷିବିତ୍ ଅପର୍ତ୍ତି ମହାପାତ୍ର ଓ କଣ୍ଠଶିଳ୍ପୀ ସତ୍ୟଜିତ୍ ପ୍ରଧାନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଭାପତି ଧନେଶ୍ବର ବେହେରା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ସନ୍ତୋଷ ବେହେରା, ସହ ସମ୍ପାଦକ ଦିଲ୍ଲୀପ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ସଞ୍ଜୟ ରାଉତ, ବୈକୁଣ୍ଠ ସ୍ବାଇଁ ଓ ନାହାମଙ୍ଗପାଟଣା ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ। ରାକେଶ ରୋଷନ ମହାନ୍ତି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ଏହି ଅବସରରେ ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ୧୦ଟି ଷ୍ଟଲରେ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହସ୍ତତନ୍ତ ଓ ହରେକ୍ ରକମର ସାମଗ୍ରୀ ପ୍ରଦର୍ଶିତ କରିବା ସହ କାରବାର କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଏହି ବୋଇତ ବନ୍ଦାଣ ଉତ୍ସବ ଏକ ମିନି ବାଲିଯାତ୍ରା ଭାବେ ସୁଖ୍ୟାତି ଲାଭ କରିଛି।

Related Posts