ଜିଏସଟି ଫାଙ୍କୁଥିବା ସନ୍ଦେହ ଘେରରେ ବଲିଉଡ ଅଭିନେତା

ନୂଆଦିଲ୍ଲୀ : ଜିଏସଟି ଫାଙ୍କୁଚନ୍ତି ବଲିଉଡ ଅଭିନେତା । ଅତିକମ୍‌ରେ ୩ ଜଣ ସେଲିବ୍ରିଟି ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ କେନ୍ଦ୍ରୀୟ ସୀମା ଶୁଳ୍କ ଓ ପରୋକ୍ଷ ଟିକସ ବୋର୍ଡ (ସିବିଆଇସି) ସ୍କାନରରେ ରହିଛନ୍ତି। ବିଭିନ୍ନ ବ୍ରାଣ୍ଡ୍‌ର ବିଜ୍ଞାପନ ବାବଦରେ ସେମାନେ ଯେଉଁ ଅର୍ଥ ନେଉଛନ୍ତି ତାହା ଉପରେ ଜିଏସଟି ପ୍ରଦାନ କରୁନାହାନ୍ତି। ଏଥିଯୋଗୁ ସରକାରଙ୍କୁ ବିପୁଳ ପରିମାଣର ରାଜସ୍ବ ହାନି ହେଉଛି।

କୌଣସି ବ୍ରାଣ୍ଡ୍‌ର ପ୍ରାୟୋଜକତ୍ବ ବା ସ୍ପନସରସିପ୍‌ କରିଲେ ସେ ବାବଦରେ ସେଲିବ୍ରିଟିମାନଙ୍କ ଠାରୁ ୧୮ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ କରାଯିବାର ନିୟମ ରହିଛି। ବ୍ରାଣ୍ଡ୍‌ ପାଇଁ ବିଜ୍ଞାପନ କରିବାକୁ ରାଜି ହେଉଥିବା ସେଲିବ୍ରିଟିମାନେ ସଂପୃକ୍ତ ବ୍ରାଣ୍ଡ୍ ବା କମ୍ପାନିଠାରୁ ଏହି ଅର୍ଥ ଆଦାୟ କରି ଟିକସ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବା କଥା। ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ କାରବାର ହେଲେ ଜିଏସ୍‌ଟି ଆଦାୟ ହେବ। ତେଣୁ ଯଦି ବିଜ୍ଞାପନ ବାବଦରେ ୨୦ ଲକ୍ଷ ଟଙ୍କା ସୀମା ଟପେ ସେ କ୍ଷେତ୍ରରେ ଉକ୍ତ ଟିକସ ଆଦାୟ ହେବ।

ଅନଲାଇନ ଗେମିଂ ଏବଂ ଫାଣ୍ଟାସି ସ୍ପୋର୍ଟସ କମ୍ପାନିଗୁଡ଼ିକର ତଦନ୍ତ ସମୟରେ ସିବିଆଇସିର ନଜରକୁ ଏଭଳି ଅନିୟମିତତା ଆସିଛି। ଉକ୍ତ ସେଲିବ୍ରିଟିମାନେ ଏ ବାବଦରେ ପାରିଶ୍ରମିକ ଦାବି କରିବା ସମୟରେ ଜିଏସ୍‌ଟି ରାଶିର ଇନଭଏସ ମଧ୍ୟ ପ୍ରସ୍ତୁତ କରିବା କଥା। କିନ୍ତୁ ସେମାନେ ଉକ୍ତ ରାଶିକୁ ସେଲିବ୍ରିଟିମାନଙ୍କ ପ୍ରାୟୋଜକତ୍ବ ବା ସ୍ପନସରସିପ୍‌ ସେବା ବୋଲି କମ୍ପାନିକୁ ଦର୍ଶାଉଛନ୍ତି। ଜିଏସଟିର ରିଭର୍ସ ଚାର୍ଜ ମେକାନିଜିମ ଅଧୀନରେ ସେମାନେ ଏହା କରୁଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ରିଭର୍ସ ଚାର୍ଜର ଅର୍ଥ ଟିକସ ପ୍ରଦାନର ଦାୟିତ୍ବ ସେବାପ୍ରଦାନକାରୀଙ୍କ ଉପରେ ନୁହେଁ ବରଂ କମ୍ପାନି ଉପରେ। କିନ୍ତୁ ଏହି ବ୍ୟବସ୍ଥା ଆ‌ଡଭୋକେସି ଏବଂ ସ୍ପନସରସିପ ଭଳି କେତେକ ସେବା ପାଇଁ ରହିଛି।

ଜିଏସଟି ଆଇନ ଅନୁଯାୟୀ, ଏନଣ୍ଡୋର୍ସ କରୁଥିବା ବ୍ୟକ୍ତି ବା
ସେଲିବ୍ରିଟିମାନେ ସେବା ପ୍ରଦାନକାରୀ। ସେମାନେ ଏ ବାବଦ ଟିକସ ପ୍ରଦାନ କରିବାର ପ୍ରାବଧାନ ରହିଛି। କିନ୍ତୁ ସେମାନେ ଏହା ନକରି କମ୍ପାନି ଉପରେ ଲଦୁଛନ୍ତି। ଏଭଳି ଭୁଲ୍‌ ଘୋଷଣାନାମା ଯୋଗୁ ବହୁ କୋଟି ଟଙ୍କାର ଟିକସ ଫାଙ୍କି ହୋଇଥିବା ଟିକସ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଟିକସ ଅଧିକାରୀମାନେ ସେଲିବ୍ରିଟିମାନଙ୍କ ଏହି ଅନିୟମିତତାର ଯାଞ୍ଚ କରୁଛନ୍ତି। ସେମାନଙ୍କୁ ଏ ନେଇ ଶୀଘ୍ର ନୋଟିସ ହେବ ବୋଲି କୁହାଯାଉଛି

Related Posts