ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନକୁ ଉଡ଼ାଣ ଭରିବାର କିଛି ମିନିଟ୍ ପୂର୍ବରୁ ମିଳିଲା ବୋମା ଧମକ। ବିମାନର ଶୌଚାଳୟ ଭିତରେ ଥିବା ଏକ ଟିସୁ ପେପରରେ “ବମ୍” ଲେଖାଯାଇଥିବା ଦେଖିବାକୁ ମିଳିଥିଲା, ଯାହା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ହାଇ-ଆଲର୍ଟ କରାଯାଇଥିଲା।

ସୁରକ୍ଷା ଏଜେନ୍ସିଗୁଡ଼ିକର କଡ଼ା ଯାଞ୍ଚ ପରେ ଏହି ଧମକ ସମ୍ପୂର୍ଣ୍ଣ ମିଥ୍ୟା ଓ ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି।ସୂଚନା ଅନୁଯାୟୀ, ବିମାନଟି ସକାଳ ୧୦:୪୫ ମିନିଟରେ ଲକ୍ଷ୍ନୌରୁ ଉଡ଼ାଣ ଭରିବାର ଥିଲା, କିନ୍ତୁ ଯାତ୍ରା ଆରମ୍ଭ ହେବାର ଠିକ୍ ପୂର୍ବରୁ ବିମାନ କର୍ମଚାରୀଙ୍କୁ ଏହି ସୂଚନା ମିଳିଥିଲା । ବିମାନକୁ ରନୱେ ଆଡ଼କୁ ନିଆଯିବା ପରିବର୍ତ୍ତେ ତୁରନ୍ତ ଆପ୍ରନରେ ଅଟକାଇ ରଖାଯାଇଥିଲା। ସୁରକ୍ଷା କର୍ମୀ ଓ ବୋମା ଚିହ୍ନଟକାରୀ ଦଳ ବିମାନର ସମସ୍ତ ଅଂଶକୁ ସମ୍ପୂର୍ଣ୍ଣ ଭାବେ ସର୍ଚ୍ଚ କରିଥିଲେ ମଧ୍ୟ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ପାଇନଥିଲେ।ତେବେ ଏହି ବାଧ୍ୟତାମୂଳକ ସୁରକ୍ଷା ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା।