ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଭୁବନେଶ୍ୱର ମଲ୍‌ରେ ଦିଆଯିବ ବୁଷ୍ଟର ଡୋଜ୍‌। ପ୍ରାରମ୍ଭିକ ପର୍ଯ୍ୟାୟରେ ତିନୋଟି ମଲ୍‌ରେ ବିଏମ୍‌ସି ବୁଷ୍ଟର ଡୋଜ୍‌ ଦେବାକୁ ଯୋଜନା କରିଛି। ରୁଦ୍ରପୁର ସିମ୍ଫୋନି ମଲ୍‌, ପାତ୍ରପଡ଼ା ଡିଏନ୍‌-ରେଗାଲିଆ ଓ ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଏଭଳି ବ୍ୟବସ୍ଥା କରାଯାଇଥିବା‌ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। କୋ-ୱିନ୍‌ ପୋର୍ଟାଲ୍‌ରେ ପ୍ରଥମେ ସ୍ଲଟ୍‌ ବୁକିଂ କରି ଲୋକମାନେ ଏହି ସୁବିଧା ନେଇ ପାରିବେ।

ପୂର୍ବାହ୍ନ ୧୦ଟାରୁ ୧ଟା ଓ ପରେ ଅପରାହ୍ନ ୩ଟାରୁ ୫ଟା ଯାଏ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଛି। ତା ଛଡ଼ା ପୂର୍ବରୁ ୨୨ଟି କେନ୍ଦ୍ରରେ ବୁଷ୍ଟର ଡୋଜ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ପୂର୍ବତଟ ରେଳପଥ ଓ ନୀଳାଦ୍ରିବିହାରରେ ଟିକା କେନ୍ଦ୍ର ଖୋଲା ଯାଇଛି। ଅର୍ଥାତ୍‌ ଆଜି ଠାରୁ ୨୪ଟି ଜାଗାରେ ଏହି ବୁଷ୍ଟର ଡୋଜ୍‌ ଉପଲବ୍ଧ ହେବ। ସେଥିରୁ ୨୩ ଟି କେନ୍ଦ୍ରରେ କୋଭାକ୍ସିନ୍‌ ବ୍ୟବସ୍ଥା ଥିବା ବେଳେ କେବଳ ୟୁନିଟ୍‌-୯ ୟୁପିଏଚ୍‌ସି ରେ କୋଭାସିଲ୍ଡ ଟୀକା ଦେବାର ବ୍ୟବସ୍ଥା ରହିଛି। ଏହା ଛଡ଼ା ଆଉ ୫ଟି କେନ୍ଦ୍ର‌ରେ ୧୨ରୁ ୧୪ ବର୍ଷ ବୟସ୍କଙ୍କ ପାଇଁ ଟିକାଦାନ ବ୍ୟବସ୍ଥା ରହିଛି। ସେଗୁଡ଼ିକ ହେଉଛି କ୍ୟାପିଟାଲ୍‌ ହସ୍‌ପିଟାଲ୍‌, ସତ୍ୟନଗର ୟୁପିଏଚ୍‌ସି, କପିଳପ୍ରସାଦ ୟୁପିଏଚ୍‌ସି, ଏମ୍‌ସ୍‌, ଚନ୍ଦ୍ରଶେଖରପୁର ୟୁପିଏଚ୍‌ସି।