ଟିକାକେନ୍ଦ୍ରରେ ବୁଷ୍ଟର ଡୋଜ ନମିଳିବାରୁ ଉତ୍ତେଜନା, ମେଡିକାଲ ଅଧିକାରୀଙ୍କୁ ତାଲା ପକାଇ ରଖିଲେ ଲୋକେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଲେଶ୍ୱର ସୁନାହାଟ ସହରାଞ୍ଚଳ ମେଡିକାଲ୍‌ରେ ବୁଷ୍ଟର ଡୋଜ୍ ନମିଳିବାରୁ ହୋହାଲ୍ଲା ହୋଇଛି । ଶନିବାର ବହୁ ସଂଖ୍ୟାରେ ଲୋକେ ମେଡିକାଲ୍ ବାହାରେ ଆସି ବୁଷ୍ଟର ଡୋଜ ନେବାକୁ ଅପେକ୍ଷା କରି ରହିଥିଲେ । ଅଫଲାଇନ୍‌ରେ ପଞ୍ଜିକରଣ କରି ଟିକା ଦେବାକୁ ଲୋକମାନେ ଭିଡ଼ ଜମାଇଥିଲେ । ମାତ୍ର କେବଳ ୨ ଶହ ଡୋଜ୍‌ ଥିବା ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏହି ୨୦୦ ଟୀକା କୁ ଅନଲାଇନ୍‌ରେ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତିଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ନେବାପରେ ସକାଳୁ ଆସି ଅପେକ୍ଷା କରିଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ସେମାନେ କାହିଁ କେତେ ଦୂରରୁ ବୁଷ୍ଟର ଡୋଜ ଟିକା ନେବା ପାଇଁ ଆସିଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ପ୍ରକାଶ କରିଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା ଓ ଉତ୍ୟକ୍ତ ଲୋକେ ମେଡିକାଲ୍ ଅଧିକାରୀଙ୍କୁ ତାଲା ପକାଇ ରଖିଥିଲେ ।

ସୂଚନାଯୋଗ୍ୟ, ବର୍ତ୍ତମାନ ସବୁଠି ୧୮ରୁ ୫୯ ବୟସ ବର୍ଗଙ୍କୁ ମାଗଣାରେ କୋଭିଡ ପ୍ରିକସନ୍ ଡୋଜ୍ ଦିଆଯାଉଛି। ଗତକାଲିଠୁ କୋଭିଡ ପ୍ରିକସନ୍ ଡୋଜ୍ ଦେବା ଆରମ୍ଭ ହୋଇଛି । ଟିକା ନେବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ଲମ୍ବା ଲାଇନ୍ ଦେଖିବକୁ ମିଳିଛି । ୭୫ ଦିନ ଧରି ଏହି ଅଭିଯାନ ଚାଲିବାକୁ ଥିବାବେଳେ ବର୍ତ୍ତମାନ ରାଜ୍ୟରେ ୨ ହଜାର ୩୨୦ ଟିକାକରଣ କେନ୍ଦ୍ରରେ ପ୍ରିକସନ ଡୋଜ ଟିକାକରଣ ଚାଲିଛି । ଏହି ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଅଧିକ ଲୋକ ଟୀକା ନେବାକୁ ଅଛନ୍ତି ।

Related Posts