ଅହମଦାବାଦ: ସୀମା ସୁରକ୍ଷା ବାହିନୀକୁ ମିଳିଛି ସଫଳତା | ପୁଣି ଥରେ ପାକିସ୍ତାନର ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ । ଏଥିସହ ୪ ଜଣଙ୍କୁ ଗିରଫ କରିଛନ୍ତି | ଗୁରୁବାର ଗୁଜୁରାଟରେ ଭାରତୀୟ ସାମୁଦ୍ରିକ ସୀମା ପାର ହେଉଥିବା ବେଳେ ବିଏସଏଫ କର୍ମଚାରୀ ଚାରିଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି। ଏହା ବ୍ୟତୀତ ୧୦ ଟି ମାଛଧରା ଡଙ୍ଗା ମଧ୍ୟ ଜବତ କରାଯାଇଛି।
ଏହି ଚାରିଜଣଙ୍କୁ କଚ୍ଛର ହରାମି ନାଲା ଅଞ୍ଚଳରୁ ଗିରଫ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ତେବେ ଡଙ୍ଗାରୁ କୌଣସି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇ ନାହିଁ।
ସୀମା ସୁରକ୍ଷା ବଳର ମୁଖପାତ୍ର କହିଛନ୍ତି ଯେ ସୀମା ସ୍ତମ୍ଭ ସଂଖ୍ୟା ୧୧୬୫ ରୁ ୧୧୬୬ ମଧ୍ୟରେ କିଛି ଗତିବିଧି ହେଉଥିବା ଜଣାପଡ଼ିବା ପରେ ଏକ ସ୍ବତନ୍ତ୍ର ଦଳ ହରାମି ନାଲା ନିକଟ ଭାରତୀୟ ସାମୁଦ୍ରିକ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ମତ୍ସ୍ୟଜୀବୀଙ୍କୁ ଧରିଥିଲେ। ଅଧିକାରୀ କହିଛନ୍ତି ଯେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେଶନ୍ ଜାରି ରହିଛି |
