ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଭାରତ ଓ ଚୀନ ମଧ୍ୟରେ ଲଦାଖର ପୂର୍ବାଞ୍ଚଳର ଗଲୱାନ ଘାଟିକୁ ନେଇ ଦୁଇ ବର୍ଷରୁ ଅଧିକ ସମୟ ହେବ ବିବାଦ ଲାଗି ରହିଛି। ଏହାରି ଭିତରେ ଗତ ୩ ବର୍ଷ ହେବ ଭାରତରେ ଚୀନର ରାଷ୍ଟ୍ରଦୂତ ଦାୟତ୍ୱରେ ରହିଛନ୍ତି ସୁନ ୱେଇଡଙ୍ଗ। ହେଲେ ବର୍ତ୍ତମାନ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ସେ ତାଙ୍କ ବଦାୟୀକାଳିନ ଭାଷଣରେ ଉଭୟ ଚୀନ ଓ ଭାରତକୁ ପରାମର୍ଶ ଦେଇଛନ୍ତି। ଉଭୟ ଦେଶ ପରସ୍ପରର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଅନୁଚିତ୍ ବୋଲି ୱେଇଡଙ୍ଗ କହିଛନ୍ତି।
ଭାରତର ରାଷ୍ଟ୍ରଦୂତ ଦାୟିତ୍ୱ ସମ୍ବାଳିବା ଭୁଲିହେବନି ବୋଲି ନିଜ ବିଦାୟୀ ଭାଷଣରେ ୱେଇଡଙ୍ଗ କହିବା ସହିତ ଭାରତ ଓ ଚୀନ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ କହିଛନ୍ତି। ଏନେଇ ସେ କହିଛନ୍ତି ଯେ, ଚୀନ ଓ ଭାରତ ମଧ୍ୟରେ ମତଭେଦ ହେବା ସ୍ୱଭାବିକ। ତେଣୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଉଭୟ ଦେଶକୁ ବିଦାୟୀ ଚୀନ ରାଷ୍ଟଦୂତ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ‘ମୂଳ କଥା ହେଲା ଦୁଇ ଦେଶ ମଧ୍ୟରେ ମତ ଭେଦକୁ କିପରି ଦୂର କରାଯିବ। ଆମ ଦୁଇ ଦେଶର ସାମୁହିକ ସ୍ୱାର୍ଥ ଉପରେ ଗୁରୁତ୍ୱ ଦେବା ଦରକାର। ଏହା ବିଭେଦ ଠାରୁ ବହୁ ଉର୍ଦ୍ଧରେ। ଏହି ମତଭେଦ ଦୂର କରିବାକୁ ଦୁଇ ଦେଶ ମଧ୍ୟରେ ପ୍ରୟାଶ ହେବା ଆବଶ୍ୟକ। ମତାନ୍ତର କେତେ ବଡ଼ ତାହା ନଦେଖି ଆଲୋଚନା ଓ ପରାମର୍ଶ ମାଧ୍ୟମରେ ଏହି ସମସ୍ୟାର ସମାଧାନ ଖୋଜିବା ଆବଶ୍ୟକ।’
ଦୁଇ ଦେଶ ମଧ୍ୟରେ ଭୁଲ ବୁଝମଣା ରହିବା କଥା ନୁହେଁ। ଦୁହେଁ ପରସ୍ପର ସହିତ କଥାବାର୍ତ୍ତା କରି ଏସୁବ ଦୂର କରିବା ଆବଶ୍ୟକ ବୋଲି ଅବସର ନେଉଥିବା ଚୀନ ରାଷ୍ଟ୍ରଦୂତ ୱେଇଡଙ୍ଗ କହିଛନ୍ତି।
ଦୁଇ ଦେଶର ଭୂରାଜନୈତିକ ସ୍ଥିତି ଉପରେ ଗୁରୁତ୍ୱ ଦେଇ ସନ ୱଇଡଙ୍ଗ କହିଛନ୍ତି ‘ଚୀନ-ଭାରତ ହଜାର ହଜାର ବର୍ଷ ହେଲା ପଡ଼ୋଶୀ ହୋଇ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ। କିନ୍ତୁ ଯଦି ପଶ୍ଚିମାଞ୍ଚଳ ଭୂରାଜନୈତିକ ସ୍ଥିତି ଏଠି ଲାଗୁ କରାଯାଏ ତେବେ ଆମେ ବି ପରସ୍ପରକୁ ଶତ୍ରୁ ନଜରରେ ଦେଖିବା। ଏମିତିରେ ଯୁଦ୍ଧ ଓ ପ୍ରତିଯୋଗିତା ହିଁ ଆଲୋଚନର ମୁଖ୍ୟ ଦିଗ ରହିବ।’
ୱେଇଡଙ୍ଗ ତାଙ୍କ ଶେଷ ଭାଷଣରେ ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କ କଥାକୁ ମଧ୍ୟ ଉଦ୍ଦୃତ କରିଛନ୍ତି। ସେ କହିଛନ୍ତି ଯେ, ‘ଆମେ ପୂର୍ବରେ ରହୁଥିବା ଲୋକ ନା ପଶ୍ଚିମ ଲୋକଙ୍କ ଚିନ୍ତାଧାରାକୁ ଉଧାରରେ ଆଣିପାରିବ ନା ତାଙ୍କ ସ୍ୱଭାବକୁ। ଆମେ ଜନ୍ମଗତ ଅଧିକାରକୁ ଖୋଜିବାର ଆବଶ୍ୟକତା ରହିଛି।’ ମୁଁ ରବୀନ୍ଦ୍ର ନାଥଙ୍କ ଏହି କଥାରେ ଏକମତ ବୋଲି ସେ କହିଛନ୍ତି। ସେହିପରି ଭାରତ-ଚୀନ ସମ୍ପର୍କକୁ ନେଇ ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ତରଫରୁ ୧୮୦୦ ଭିସା ଭାରତୀୟ ଛାତ୍ରଛାତ୍ରୀଙ୍କୁ ପାଇଁ ଲାଗୁ କରାଯାଇଛି। ଏବଂ ଆଗକୁ ଦୁଇ ଦେଶ ମଧ୍ୟରେ ଆହୁରି ଭିଜା ନେଣଦେଣ କାର୍ଯ୍ୟ ଜାରି ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
