ରାଜଧାନୀରେ ନବବଧୂ ମୃତ୍ୟୁ ଘଟଣା; ଶାଶୂଙ୍କୁ ଗିରଫ କଲା ତମଣ୍ଡୋ ଥାନା ପୁଲିସ, ସ୍ୱାମୀ ଓ ଶଶୁର ଫେରାର

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀରେ ନବବଧୂ ସୁଶ୍ରୀ ସଂଗୀତା ବସ୍ତିଆଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଶାଶୂଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ୍‌। ତେବେ ସ୍ୱାମୀ ପ୍ରବୀଣ ଚନ୍ଦ୍ର ନାୟକ ଓ ଶଶୁର ଫେରାର ଅଛନ୍ତି। ସୁଶ୍ରୀଙ୍କୁ ଶାଶୁ ଅଧିକ ଯୌତୁକ ନିର୍ଯାତନା ଦେଉଥିବା ନେଇ ପ୍ରମାଣ ହାତେଇବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ପୁଲିସ୍‌ ଏବେ ସୁଶ୍ରୀଙ୍କ ମୋବାଇଲର ସିଡିଆର ଯାଞ୍ଚ କରୁଛି। ଫେରାର ଥିବା ସ୍ୱାମୀ ଓ ଶଶୁରଙ୍କୁ ଧରିବା ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି। ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏଯାଏ ହସ୍ତଗତ ହୋଇ ପାରିନାହିଁ।

ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ ପ୍ରବୀଣଙ୍କ ପରକୀୟାପ୍ରୀତି ଓ ଶ୍ବଶୂର ଘରଲୋକ ଯୌତୁକ ପାଇଁ ନିର୍ଯାତନା ହେତୁ ଦୀପାବଳି ଦିନ ନବବଧୂ ସୁଶ୍ରୀ ସଂଗୀତା ବସ୍ତିଆ ଜୀବନ ହାରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ, ସଂଗୀତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ତମାଣ୍ଡୋ ଥାନା‌ରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଶ୍ବଶୂର ଘରଲୋକ ସଂଗୀତାଙ୍କ ଗଳା ଚିପି ହତ୍ୟା କରିଛନ୍ତି ଓ ପରେ ଅସୁସ୍ଥ ଥିବା ନାଟକ କରି ଏମ୍ସରେ ଭର୍ତ୍ତି କରାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ସଙ୍ଗୀତାଙ୍କ ମୃତ୍ୟୁ ପରେ ସ୍ବାମୀ ପ୍ରବୀଣ ନାୟକ ହଠାତ୍ ଅନ୍ତର୍ଦ୍ଧାନ ହୋଇଯିବା ଓ ମୋବାଇଲ୍ ସୁଇଚ୍‌-ଅଫ୍ କରିଦେବା ପୁଲିସ୍‌ର ସନ୍ଦେହକୁ ଆହୁରି ବଢ଼ାଇଛି।

ତେବେ ମିଳିଥିବା ସୂଚନା ଅନୁସାରେ, ସଙ୍ଗୀତା ଗତବର୍ଷ ଜାନୁଆରି ୨୦ରେ ତମାଣ୍ଡୋର ଜିତେନ୍ଦ୍ର ନାୟକଙ୍କ ପୁଅ ପ୍ରବୀଣଙ୍କୁ ବିବାହ କରିଥିଲେ। ଶ୍ବଶୂର ଘରଲୋକଙ୍କ ଦାବି ମୁତାବକ, ସଙ୍ଗୀତାଙ୍କ ପିତା ବାବୁଲି ନଗଦ ୨ଲକ୍ଷ ଟଙ୍କା, ୧୦ଭରିର ସୁନାଗହଣା, ଟିଭି, ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବପତ୍ର ଦେଇଥିଲେ। ବାହାଘର ପରେ ସଙ୍ଗୀତା ଏକ ନର୍ସିଂହୋମ୍‌ରେ ଚାକିରି କରିଥିଲେ। ସେ ସେଠାରୁ ମାସିକ ୧୫ ହଜାର ଟଙ୍କା ପାଉଥିଲେ। କିନ୍ତୁ ଅଧିକ ଟଙ୍କା ରୋଜଗାର ପାଇଁ ଶ୍ବଶୁର ଘରଲୋକ ତାଙ୍କ ଉପରେ ଚାପ ପକାଉଥିଲେ ନଚେତ୍ ବାପଘରୁ ଟଙ୍କା ଆଣିବା ପାଇଁ କହୁଥିଲେ। କିନ୍ତୁ ବାପଘରୁ ଟଙ୍କା ଆଣିବାକୁ ସଙ୍ଗୀତା ରାଜି ନ ହେବାରୁ ତାଙ୍କ ନଣନ୍ଦ ଓ ଶାଶୂ ବିଭିନ୍ନ ସମୟରେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏହାରି ଭିତରେ ପ୍ରବୀଣଙ୍କର ପରକୀୟା ସଂପର୍କ ଥିବା ସଙ୍ଗୀତା ଜାଣିଥିଲେ। ଏହାପରେ ସେ ନିଜ ଜୀବନ ହାରିଥିବା ଅଭିଯୋଗ ହୋଇଛି।

Related Posts