ସିଡନୀରେ ପ୍ରାକ୍ଟିସ୍‌ ସେସନ ପରେ ଅରୁଚିକର ଖାଦ୍ୟ ପରିବେଷଣ ନେଇ ଅସନ୍ତୋଷ ଜାହିର କଲା ଟିମ୍‌ ଇଣ୍ଡିଆ

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ଵକପ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳର ଖେଳାଳୀମାନେ ମଙ୍ଗଳବାର ଅପରାହ୍ନରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନିଜର ଅପ୍ସନାଲ ପ୍ରାକ୍ଟିସ୍‌ ସେସନ ପରେ ମଧ୍ୟାହ୍ନ ଭୋଜନକୁ ବଏକଟ୍ ବା ପରିତ୍ୟାଗ କରିଛନ୍ତି । ଖାଇବା ଥଣ୍ଡା ଥିବା ସହ ଆରୁଚିକରଥିବାରୁ ଖେଳାଳୀମାନେ ଏପରି କରିଥିବା ଜଣାପଡିଛି । ଡ୍ରେସିଂ ରୁମରେ ମେନ୍ୟୁରେ ଫଳ ଓ ‘ମେକ ୟୋର ସାଣ୍ଡୱିଚ୍’ ମିଳିଥିଲା, ଯାହାକି ଅନେକ ଖେଳାଳିଙ୍କୁ ପସନ୍ଦ ଆସିନଥିଲା।ଏନେଇ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ।

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, କେ.ଏଲ୍ ରାହୁଲ, ମହମ୍ମଦ ସିରାଜ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଦୁଲ ଠାକୁର ଏବଂ ଦୀପକ ହୁଡା ଏକ ଅପ୍ସନାଲ ପ୍ରାକ୍ଟିସ୍‌ ସେସନରେ ଭାଗନେଇଥିଲେ । ରବିବାର ମେଲବୋର୍ଣ୍ଣରେ ପାକିସ୍ତାନ ମ୍ୟାଚ୍ ପରେ ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂଙ୍କୁ ଦଳ ପରିଚାଳନା କମିଟି ଦ୍ୱାରା ବିଶ୍ରାମ ଦିଆଯାଇଥିଲା ।

ଭାରତୀୟ ଦଳର ଜଣେ ସଦସ୍ୟ ଏନେଇ କହିଛନ୍ତି ଯେ, ‘ଖାଦ୍ୟ ମାନ ଠିକ୍ ନଥିଲା । ଟ୍ରେନିଂ ସେସନ ପରେ ଆମେ ଥଣ୍ଡା ସାଣ୍ଡୱିଚ୍ ଖାଇ ପାରିବୁ ନାହିଁ ।’ କିଛି ଖେଳାଳି ପଡ଼ିଆରେ ଫଳ ଖାଇଥିବାବେଳେ ବାକିମାନେ ହୋଟେଲରେ ଖାଇବାକୁ ପସନ୍ଦ କରିଥିଲେ । ଭାରତୀୟ ଦଳ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ବିଶ୍ରାମ ନେବ କାରଣ ଆଇସିସି ଏସସିଜି ଠାରୁ ୪୨ କିଲୋମିଟର ଦୂରରେ ଥିବା ବ୍ଲାକଟାଉନ୍ ଟ୍ରେନିଂ ସେସନ ପାଇଁ ବାଛିଛି ।

ଗୁରୁବାର ୨୭ ଅକ୍ଟୋବରରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି) ଡବଲ୍ ହେଡର୍ ଆୟୋଜନ କରିବ । ଦକ୍ଷିଣ ଆଫ୍ରିକା ଦିନରେ ବାଂଲାଦେଶ ସହ ଖେଳିବ, ଏହା ପରେ ସନ୍ଧ୍ୟାରେ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ । ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡ ବୁଧବାର ଦିନ ଏସସିଜିରେ ଅଭ୍ୟାସ ଅଧିବେଶନ କରିବେ । ଭାରତୀୟ ଦଳ ବ୍ଲାକଟାଉନ୍ ଯିବ ନାହିଁ । ୨୦୨୧ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଭାରତୀୟ ଦଳ ଅଲିମ୍ପିକ ପାର୍କରେ ରହିବା ସମୟରେ ବ୍ଲାକଟାଉନରେ କ୍ୟାମ୍ପ କରିଥିଲେ । ତେବେ ମ୍ୟାଚ ପୂର୍ବରୁ ଦଳ ଏତେ ଦୂରତା ଅତିକ୍ରମ କରିବାକୁ ଚାହୁଁନଥିଲା ।

Related Posts