ପ୍ରେମିକା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଅପଲୋଡ କରିବାର ଧମକ ଦେଇ ପ୍ରେମିକ ଗିରଫ

ଅମରାବତୀ: ପ୍ରଥମେ ପ୍ରେମ ପରେ ବଦନାମ କରିବାର ଧମକ ଦେଇ ଗିରଫ ହେଲା ଅଭିଯୁକ୍ତ ପ୍ରେମିକ । ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ପୋଲିସ ପୀଡ଼ିତ ଯୁବତୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ପ୍ରେମିକ ଜଣକଙ୍କ ନାମ ଶିରେଡ୍ଡୀ ନବୀନ ଏବଂ ସେ ଗ୍ରାମ ସଚିବାଳୟରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଟନ୍ତି । ନବୀନ ନିଜ ପ୍ରେମିକା ବାପାଙ୍କୁ କିଛି ଟଙ୍କା ମାଗିଥିଲେ । ସେ ଟଙ୍କା ଦେବା ପାଇଁ ମନା କରିବାରୁ ନବୀନ ପ୍ରେମିକାଙ୍କ ସହ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ଧମକ ଦେଇଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ଶିରେଡ୍ଡୀ ନବୀନ କାର୍ଯ୍ୟ କରୁଥିବା ସ୍ଥାନରେ ସମ୍ପୃକ୍ତ ଯୁବତୀ ମଧ୍ୟ କାର୍ଯ୍ୟରତ ଥିଲେ । ସେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ନବୀନ ଓ ଉକ୍ତ ଯୁବତୀ ଦୀର୍ଘ ଦୁଇ ବର୍ଷ ହେଲା ପରସ୍ପର ସହ ସମ୍ପର୍କରେ ଥିଲେ । ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଡେଟିଂ କରୁଥିଲେ । ଏପରିକି ତାଙ୍କ ପରିବାର ମଧ୍ୟ ସେମାନଙ୍କୁ ସମର୍ଥନ କରୁଥିଲେ । ହେଲେ ଗତ ଦୁଇ ମାସ ହେଲା ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ନବୀନ ନିଜର ଘର ତିଆରି କରିବା ପରେ ବିବାହ ପାଇଁ ଜିଦ୍ ଧରିଥିଲେ । ଏଥିପାଇଁ ଯୁବତୀଙ୍କ ବାପାମାଆଙ୍କୁ ଟଙ୍କା ମାଗିଥିଲେ । ବାପାମାଆ ଟଙ୍କା ଦେବାକୁ ମନା କରିବାରୁ ରାଗି ଯାଇ ସେ ଯୁବତୀଙ୍କୁ ବଦନାମ କରିବା ପାଇଁ ତାଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଫଟୋ ବ୍ୟବହାର କରିଥିଲେ ।

କିଛି ଫଟୋ ସେ ଯୁବତୀଙ୍କ ବାପା ପାଖକୁ ପଠାଇଥିଲେ ଏବଂ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ଧମକ ଦେଇଥିଲେ । ଏନେଇ ଯୁବତୀ ପୋଲିସ ନିକଟରେ ଅଭିଯୋଗ କରିବା ପରେ ନବୀନଙ୍କୁ ଗିରଫ କରାଯାଇଛି ।

Related Posts