
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶେଷାଗିରି ରାଓଙ୍କ ଉପରକୁ ମରଣାନ୍ତ ଆକ୍ରମଣ ହୋଇଛି। ଯାହାର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି। ଏହି ଆକ୍ରମଣ ଶ୍ରୀ ରାଓଙ୍କ ଘର ବାହାରେ ହୋଇଛି। ହସ୍ତଗତ ହୋଇଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଆକ୍ରମଣକାରୀ ସାଧୁ ବେଶରେ ଆସି ଦାନ ମାଗିବା ସମୟରେ ଆକ୍ରମଣ କରିଥିଲା।
ଯେତେବେଳେ ଶେଷାଗିରି ସାଧୁ ବେଶରେ ଆସୁଥିବା ଦୁର୍ବୃତ୍ତ ଜଣକୁ ଦାନ ଦେଇଥିଲେ ସେତେବେଳେ ଦୁର୍ବୃତ୍ତ ଜଣକ ଖଣ୍ଡାରେ ଆକ୍ରମଣ କରିଥିଲା । ଆକ୍ରମଣ କରିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ଆଉ ଏହି ଆକ୍ରମଣରେ ଶେଷାଗିରି ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ଶେଷାଗିରି ଗୁରୁତର ଆହତ ଅବସ୍ଥାରେ କାକୀନାଡାର ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ମୁଣ୍ଡ ଏବଂ ହାତରେ ଗମ୍ଭୀର ଆଘାତ ଲାଗିଛି। ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି।
ତେବେ ଆଜି ସକାଳ ୬.୩୦ ମିନିଟ ସମୟରେ ଏହି ଆକ୍ରମଣ ହୋଇଛି। ଏହାକୁ ନେଇ ଥାନାରେ ମାମଲା ଦାଏର ହୋଇଥିବା ବେଳେ ପୋଲିସ ମାମଲାର ଯାଞ୍ଚ କରୁଛି। ସିସିଟିଭି ଫୁଟେଜ ଆଧାରରେ ଆକ୍ରମଣକାରୀକୁ ଧରିବା ପାଇଁ ପୁଲିସର ପ୍ରୟାସ ଜାରି ରହିଛି।
ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଦୁର୍ବୃତ୍ତ ଜଣକ ଆକ୍ରମଣ କରିବା ପରେ ବାଇକ ଯୋଗେ ଫେରାର ହୋଇଯାଇଛି । ଆକ୍ରମଣକାରୀକୁ ଶୀଘ୍ର ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଓ ପୂର୍ବତନ ସାଂସଦଙ୍କ ସମର୍ଥକ ମାନେ ଦାବି କରିଛନ୍ତି ।