ବ୍ରଜରାଜନଗର ଉପନିର୍ବାଚନ; ତାଲିକାରେ ରହିଲେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେନି ଅନେକ କେନ୍ଦ୍ର ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ରାଜ୍ୟର ନଜର ବର୍ତ୍ତମାନ ରହିଛି ବ୍ରଜରାଜନଗର ଉପନିର୍ବାଚନ ଉପରେ । ଏଥର ବାଜି ମାରିବ କିଏ ? ସେନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଗଲାଣି । ସେପଟେ ଉପନିର୍ବାଚନରେ ବାଜି ମାରିବା ଲକ୍ଷ୍ୟରେ ସମସ୍ତ ରାଜନୈତିକ ଦଳମାନେ ମଧ୍ୟ ଜୋରଦାର ପ୍ରସ୍ତୁତି କରିବାରେ ଲାଗିଛନ୍ତି । ଏନେଇ କିଏ ଷ୍ଟାର ପ୍ରଚାରକ ଲିଷ୍ଟ ପ୍ରସ୍ତୁତ କରୁଛି ତ ଆଉ କିଏ ନିଜର ଉନ୍ନତିମୂଳକ କାର୍ଯ୍ୟର ଲିଷ୍ଟ ନେଇ ଲୋକଙ୍କ ପାଖକୁ ଯିବାରେ ଲାଗିଛି । ଅନ୍ୟପଟେ ରାଜ୍ୟରେ ଯେଉଁସବୁ ସ୍ଥାନରେ ଉପନିର୍ବାଚନ ହୁଏ, ସବୁବେଳେ ବିଜେଡି ବାଜି ମାରୁଥିବାର ଅନେକ ଉଦାହରଣ ରହିଛି । କାହିଁକିନା ୨୦୧୪ ମସିହାରେ ବ୍ରଜରାଜନଗର ଆସନରୁ ବିଜେପି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ରାଧାରାଣୀ ପଣ୍ଡା ୨୦୧୯ରେ କିନ୍ତୁ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କ ଠାରୁ ପରାଜିତ ହୋଇଥିଲେ । କିଶୋରଙ୍କ ମୃତ୍ୟୁ ଏବଂ ଏହି ଆସନରେ ପୁଣିଥରେ ୫ ବର୍ଷ ଭିତରେ ଉପନିର୍ବାଚନ ହେବା ରାଧାରାଣୀଙ୍କ ପାଇଁ ଏକ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ବିଜେପିଏହି ଆସନରେ ବିଜୟୀ ହେବା ଲାଗି ବାସ୍ତବରେ କେତେ ଆଗ୍ରହୀ ତାକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି । ଏହାର ମୁଖ୍ୟ କାରଣ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା । ସେପଟେ ବିଜେପି ଭଳି କଂଗ୍ରେସର ମଧ୍ୟ ସମଦଶା । ତେବେ ବିଜେପି ଜାରି କରିଥିବା ଷ୍ଟାର କ୍ୟାମ୍ପେନର ତାଲିକାରେ ବହୁ କେନ୍ଦ୍ର ନେତାଙ୍କୁ ସାମିଲ କରିଥିଲା ।

ଫଳରେ ତାଲିକାରେ ସୁଯୋଗ ପାଇ ନଥିବା ବହୁ ରାଜ୍ୟ ନେତୃବୃନ୍ଦ ମୁହଁ ଖୋଲି ନଥିଲେ ମଧ୍ୟ ଭିତରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏବେ ଯେତେବେଳେ ଷ୍ଟାର କ୍ୟାମ୍ପେନର ତାଲିକାରେ ସାମିଲ ଥିବା କେନ୍ଦ୍ର ନେତାଙ୍କ ଦେଖାମିଳୁନି ଧୀରେ ଧୀରେ ଅସନ୍ତୋଷ କୁହୁଳିବା ଆରମ୍ଭ ହୋଇଯାଇଛି । ତାଲିକାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ପ୍ରହଲ୍ଲାଦ ଯୋଷ. ଅଶ୍ୱିନୀ ବୈଷ୍ଣବ, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଏର ଖାରବେଳ ସ୍ୱାଇଁ, ପୂର୍ବତନ ଛତିଶଗଡ଼ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ, ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଏପର୍ଯ୍ୟନ୍ତ ପ୍ରଚାର ମଇଦାନରେ ଦେଖାମିଳୁ ନାହାନ୍ତି । ଅନ୍ୟପଟେ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୫ଟାରେ ପ୍ରଚାର ସମୟ ଶେଷ ହେବ । ତେଣୁ ପ୍ରଚାରର ଶେଷଦିନ ଏହିସବୁ ନେତାଙ୍କ ମଧ୍ୟରୁ କେଉଁମାନେ ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା । କେନ୍ଦ୍ରମନ୍ତ୍ରୀ ର୍ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଦିନ ପ୍ରଚାର କରି ଫେରିଯାଇଛନ୍ତି । ଏହା ପରେ କିମ୍ବା ପୂର୍ବରୁ ଧର୍ମେନ୍ଦ୍ର ପ୍ରଚାର ମଇଦାନକୁ ଆସିନାହାନ୍ତି । ଗତ ପିପିଲି ଉପନିର୍ବାଚନ ସମୟରେ ମଧ୍ୟ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକାରେ ସ୍ଥାନ ପାଇଥିବା ନେତାଙ୍କ ମଧ୍ୟରୁ ଅନେକଙ୍କୁ ଦେଖିବାକୁ ମିଳିନଥିଲା ।

ଓଡ଼ିଶାରୁ ରାଜ୍ୟ ସଭା ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସୁଥିଲେ ସୁଦ୍ଧା ବ୍ରଜରାଜନଗରରେ ପ୍ରଚାର କରିବାକୁ ଯିବା ନେଇ ତାଙ୍କ କୌଣସି ଯୋଜନା ନଥିବା ଜଣାପଡ଼ିଛି । ଏନେଇ ଏମପି ସୁରେଶ ପୂଜାରୀଙ୍କୁ ପଚାରିବାକୁ ସେ କହିଛନ୍ତି ଏ ବିଷୟରେ ଦଳର ସଭାପତି ଏବଂ ସଙ୍ଗଠନ ସମ୍ପାଦକଙ୍କୁ ପଚାର । ଦଳର ସଭାପତି ସମୀର ମହାନ୍ତିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଟେଲିଫୋନ ଉଠାଇନାହାନ୍‌ତି । ଅନ୍ୟପଟେ ଦଳର ସଙ୍ଗଠନ ସମ୍ପାଦକଙ୍କ ସହ ଯୋଗାଯୋଗ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ନମ୍ବର ଦେବା ଲାଗି ବାରଣ ଥିବା ଦଳର କେତେଜଣ କାର୍ଯ୍ୟକର୍ତ୍ତା କହିଛନ୍ତି । ପଞ୍‌ଚାୟତ ଓ ପୌର ଭୋଟରେ କଂଗ୍ରେସ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ପରେ ବ୍ରଜରାଜନଗର ଉପନିର୍ବାଚନ ଏକତ୍ରିତ ହୋଇ ସମସ୍ତେ ଲଢ଼ିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ସେହି ଅନୁସାରେ ଦେଖିଲେ ରାଜ୍ୟର ଏକାଧିକ ଟାଣୁଆ ନେତା ଅନେକ ବିଧାୟକ ବ୍ରଜରାଜନଗର ପ୍ରଚାର ମଇଦାନରେ ଅଛନ୍ତି । ହେଲେ ଷ୍ଟାର କ୍ୟାମ୍ପେନର ତାଲିକାରେ ସ୍ଥାନ ପାଇଥିବା କେନ୍ଦ୍ର ନେତାଙ୍କ ଦେଖା ମିଳୁନାହିଁ ।

ପ୍ରଭାରୀ ଏ ଚେଲ୍ଲାକୁମାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେ. ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂହଦେଓ, କହ୍ନେୟା କୁମାର, ଅମରଜିତ ଭଗତ, ଜିଗ୍ନେଶ ମଭାନିଙ୍କ ସମେତ ରାଜ୍ୟନେତା ଭକ୍ତ ଦାସ ଓ ଆହୁରି ନେତା ଯେଉଁମାନେ ତାଲିକାରେ ଅଛନ୍ତି. ଏପର୍ଯ୍ୟନ୍ତ ପ୍ରଚାର ମଇଦାନରେ ସେମାନଙ୍କ ଦେଖା ମିଳିଲା ନାହିଁ । ବ୍ରଜରାଜନଗର ସୀମାକୁ ଲାଗିଥିବା ଛତିଶଗଡ଼ରେ କଂଗ୍ରେସ ସରକାର ଥିବା ସତ୍ତ୍ୱେ ଉପନିର୍ବାଚନରେ ମନ୍ତ୍ରୀମଣ୍ଡଳର କୌଣସି ନେତା ନଆସିବା ଦଳର ଉପନିର୍ବାଚନ ଲଢ଼ିବା ଆଗ୍ରହ ସୃଷ୍ଟି କରୁଛି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବହୁ ଜଣଙ୍କୁ ଡକାଯାଇଥିଲା ସେମାନେ ଯଦି ଆସିବେ ଆସନ୍ତୁ ନହେଲେ ନାହିଁ । ଯେଉଁମାନେ ଆସି ନାହାନ୍ତି ସେମାନଙ୍କ କିଛି କାମ ଯୋଗୁ ଆସିନଥାଇପାରନ୍ତି । ଏହି ତାଲିକା ଏଆଇସିସି ପକ୍ଷରୁ ପ୍ରକାଶ କରାଯାଏ ବୋଲି ସେ କହିଛନ୍ତି । ସେହିପରି ବିଜେଡି ମୁଖ୍ୟ ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଯାଇ ନଥିବାବେଳେ ତାଙ୍କ ଯିବାର କୌଣସି କାର୍ଯ୍ୟକ୍ରମ ନଥିବା ଶୁଣିବାକୁ ମିଳୁଛି । ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ଦଳରୁ ଦାୟିତ୍ୱ ମିଳିଥିବର ବହୁନେତା ସେଠାରେ ନିଜର କାର୍ଯ୍ୟକ୍ରମ ଚଳାଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts