ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ: ବିରୋଧୀ ଆଣିଲେ ଇଭିଏମ୍‌ ଟାମ୍ପରିଂ ଅଭିଯୋଗ

ଝାରସୁଗୁଡ଼ା : ପ୍ରକାଶ ପାଇଛି ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ | ବାଜିମାତ କରିଛି ଶାସକ ଦଳ | ତେବେ ଶାସକ ଦଳର ବିଜୟକୁ ନେଇ ସମ୍ପୂର୍ଣ୍ଣ ନିରାଶ ହୋଇଛନ୍ତି ବିରୋଧୀ | ଏପରିକି ବିଜେପି ଇଭିଏମ୍‌ ଟାମ୍ପରିଂ ଅଭିଯୋଗ ଆଣିଛି। ସେହିଭଳି, ଦ୍ବିତୀୟ ସ୍ଥାନରେ ରହି ସାମାନ୍ୟ ଆଶ୍ବସ୍ତ ହୋଇଥିଲେ ମଧ୍ୟ ବୁଥ୍‌ ରିଗିଂ କରି ବିଜେଡି ବିଜୟୀ ହାସଲ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଅପରପକ୍ଷେ, କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବା ଏବଂ ବିଜେପି ତୃତୀୟ ସ୍ଥାନରେ ରହିବା ଘଟଣା ଏବେ ବିରୋଧୀ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା କହିଛନ୍ତି, ବିଜେଡି ପ୍ରଶାସନ ସହଯୋଗରେ ଇଭିଏମ୍‌କୁ ଟ୍ୟାମ୍ପରିଂ କରାଯାଇଛି। ଭୋଟ୍‌ ପରେ ବିରୋଧୀ ଦଳର ବୁଥ୍‌ ଏଜେଣ୍ଟମାନଙ୍କୁ ତଡ଼ିଦେଇ ବିଜେଡି ପ୍ରତିନିଧିମାନେ ବୁଥ୍‌ ଭିତରେ ରହି ଇଭିଏମ୍‌ରେ କାରସାଦି କରି ରାତି ୧୧ ଟାରେ ମେସିନ ଆଣି ଡିପୋଜିଟ କରିଥିଲେ। ଏହାବ୍ୟତୀତ ବିଜେଡି ଭୋଟ ପିଛା ୩ ଶହ ଟଙ୍କା ବଣ୍ଟନ କରିଥିବାବେଳେ କଂଗ୍ରେସ ଘର ପିଛା ୫ ଶହ ଟଙ୍କା ଦେଇଥିବା ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି। ବିଜେପି ଏଠାରେ ଯେତେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛି, ସବୁଥିରେ ୪୦ ହଜାରରୁ ଅଧିକ ଭୋଟ ପାଉଥିବାବେଳେ ଏଥର ବିଜେପିକୁ ଭୋଟ ଦେଇଥିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବା ସେ କହିଛନ୍ତି। ବହୁ ଭୋଟର ସେମାନଙ୍କ ମତଦାନ ଠିକ୍‌ ଭାବରେ ପ୍ରତିଫଳିତ ହୋଇ ନଥିବା ତାଙ୍କୁ କହିଥିବା ଶ୍ରୀମତୀ ପଣ୍ଡା ପ୍ରକାଶ କରିଛନ୍ତି।

ଅପରପକ୍ଷେ, ସଂଗଠନ ସୁଦୃଢ଼ ନଥିଲେ ମଧ୍ୟ ଏହି ନିର୍ବାଚନରେ ଦ୍ବିତୀୟ ସ୍ଥାନକୁ ଆସିବା କଂଗ୍ରେସକୁ ଆଶ୍ବସ୍ତ କରିଛି। ଭୋଟ ବ୍ୟବଧାନରେ ଅଧିକ ତାରତମ୍ୟ ଥିଲେ ମଧ୍ୟ ଶାସକ ଦଳର ନେତା ଓ ମନ୍ତ୍ରୀ ଯେଭଳି ଏଠାରେ ରହି ଭୋଟରଙ୍କୁ ପ୍ରଭାବିତ କଲେ ସେଥିରେ ବିରୋଧୀ ଦଳ ଅସଫଳ ହେବା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଦୀର୍ଘଦିନ ପରେ କଂଗ୍ରେସର ସବୁ ନେତା ଏକଜୁଟ ହେବା ଓ ପ୍ରଚାର ଚାଲିଥିବାବେଳେ ନୂଆ ପିସିସି ସଭାପତି ଘୋଷଣା ହେବା କଂଗ୍ରେସ ପାଇଁ ଏକ ସମ୍ଭାବନା ଓ କଂଗ୍ରେସ କର୍ମୀ ମହଲରେ ଏହାକୁ ନେଇ ଉତ୍ସାହିତ ଥିବା ଜଣାପଡ଼ିଛି। ତେବେ, ସଫଳତା ପାଇଁ ବିଜେଡି ବୁଥ୍‌ ରିଗିଂ କରିଥିବା କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ କହିଛନ୍ତି। ସେ କହିଛନ୍ତି, ଭୋଟର ମଧ୍ୟ କଂଗ୍ରେସ ପ୍ରତି ଆକର୍ଷିତ ହୋଇଥିଲେ ତେବ‌େ ବିଜେଡି ପକ୍ଷରୁ ବୁଥ୍‌ ରିଗିଂ କରାଯାଇଛି। ଗାଁ ଗାଁରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମଦ, ମାଂସର ସୁଅ ଛୁଟାଇ ଦେଇ ବ୍ୟାପକ ଅର୍ଥ ବିତରଣ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

Related Posts