
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ଏଥର ନିର୍ବାଚନରେ ବାଜି ମାରିବା ପାଇଁ ନିଜ ନିଜ ରାଜନୈତିକ ଦଳ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା । ଏହା ମଧ୍ୟରେ ଆଜି ବ୍ରଜରାଜନଗର ଉପନିର୍ବାଚନର ପ୍ରଚାର ଶେଷ ହେଉଛି । ଆଜି ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର ଚାଲିଛି । ଅନ୍ୟପଟେ ଆସନ୍ତା ୩୧ରେ ବ୍ରଜରାଜନଗରର ଉପନିର୍ବାଚନ ହେବାକୁ ଯାଉଛି । ଖାଲି ପଡ଼ିଥିବା ଏହି ଆସନ ଲାଗି ମଇଦାନରେ ୧୧ ଜଣ ପ୍ରାର୍ଥୀ । ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ସେପଟେ ଭୋଟିଂ ପାଇଁ ଆବଶ୍ୟକ ଇଭିଏମ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୨୭୯ ବୁଥରେ ମତଦାନ ହେବ । ଏଥିରେ ୫ଟି ପିଙ୍କ ବୁଥ ରହିଛି । ସେହିପରି ୫୦ ପ୍ରତିଶତ ବୁଥରେ ୱେବକାଷ୍ଠିଂ ହେବ । ଆବଶ୍ୟକ ପଡ଼ିଲେ ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ସୁବିଧା କରାଯାଇଛି । ବୁଥରେ ଡମି ଭୋଟର ରହି ଦିବ୍ୟାଙ୍ଗ ଭୋଟରଙ୍କୁ ସହାୟତା କରିବେ । ଭୋଟ ଦିନ ନିର୍ବାଚନମଣ୍ଡଳୀ ସମସ୍ତ ଘରୋଇ ଓ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି ।