ବ୍ରଜରାଜନଗର ଉପନିର୍ବାଚନ: ଧାଡ଼ିରେ ଦୁଇ ଆଶାୟୀ

ଭୁବନେଶ୍ୱର : ଖାଲି ପଡ଼ିଛି ବ୍ରଜରାଜନଗର ବିଧାନସଭା ଆସନ। ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ଏବେ ଆସନ ଖାଲି ପଡ଼ିଥିବା ବେଳେ ଆଗକୁ ହେବ ଉପନିର୍ବାଚନ । ତେବେ ଉପନିର୍ବାଚନ ପୂର୍ବରୁ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି।

ବିଜେଡିର ନିର୍ବାଚନ ଷ୍ଟ୍ରାଟେଜିକୁ ତର୍ଜମା କଲେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଏଠାରୁ ଟିକେଟ୍‌ ପାଇବାର ସମ୍ଭାବନା ଅଧିକ। କିନ୍ତୁ ବ୍ରଜରାଜନଗରରେ ରାଜନୀତିକ ଘଟଣା ଗୁଡ଼ିକୁ ଅନୁଧ୍ୟାନ କଲେ ଲାଗୁଛି ଏଠାରୁ ଟିକେଟ୍ ପାଇବାକୁ ଆଶା ବାନ୍ଧିଛନ୍ତି ଦୀପାଳି ଦାସ। ସେ ହେଉଛନ୍ତି ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ।

ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନେକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଦୀପାଳିଙ୍କୁ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ପୌର ନିର୍ବାଚନ ସମୟରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ଉପ-ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା କହି ସାରିଛନ୍ତି।

ଅଳକା ଓ ଦୀପାଳିଙ୍କୁ ନେଇ କେବଳ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉ ନାହିଁ, ବିଜେଡି କର୍ମୀଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କ ପରଲୋକ ହୋଇଥିଲା। ନିୟମ ଅନୁସାରେ ୬ ମାସ ଭିତରେ ହେବ ଉପନିର୍ବାଚନ ।

Related Posts