ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୬ଟି ବୁଥରେ ହେବ ସାନି ନିର୍ବାଚନ। ଆସନ୍ତା ଏପ୍ରିଲ ୫ରେ ଏହି ବୁଥ ରେ ସାନି ମତଦାନ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୁଚନା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ସେଠାରେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ପରେ ସେଠାରେ ନିର୍ବାଚନ ବନ୍ଦ ରହିଥିଲା । ତେବେ ଆସନ୍ତା ଏପ୍ରିଲ ୫ରେ ସାନି ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । ଏନଏସିର ୩,୮,୯,୧୬,୧୭,୧୮ ବୁଥରେ ହେବ ସାନି ନିର୍ବାଚନ। ଏପ୍ରିଲ ୫ ତାରିଖ ଦିନ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବା ସହ ଏପ୍ରିଲ ୬ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ବଜାର ସାହିର ରମେଶ ଲେଙ୍କା(୨୮) ଭୋଟ୍ ଦେବାକୁ ଯାଇଥିବା ବେଳେ ସେଠାରେ ପ୍ରତିପକ୍ଷ ଦଳର କର୍ମୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ରମେଶ ଲେଙ୍କାଙ୍କ ପେଟରେ ଛୁରି ଭୁସି ଦେଇଥିଲେ। ଛୁରାମାଡ଼ କରିବା ପରେ ଅଭିଯୁକ୍ତ ତତକ୍ଷଣାତ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଲୋକେ ରମେଶ ଲେଙ୍କାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଚଳିତ ବର୍ଷ ଧାମନଗର ଏନ୍ଏସିରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଥିଲା। ହେଲେ ବିଭିନ୍ନ ୱାର୍ଡରେ ନିର୍ବାଚନୀ ହିଂସା ପରେ ମତଦାନ ଅଧାରୁ ଅଟକିଥିଲା। ହେଲେ ଏହାକୁ ପୁଣି ଥରେ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଧାର୍ଯ୍ୟ କରିଛନ୍ତି। ଏଥିସହ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଜାରୀ ହୋଇଚି ।