ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁରରେ ସିବିଆଇର ୯ଜଣିଆ ଟିମ୍ ଚଢ଼ାଉ କରିଛି। ଜନଔଷଧି କେନ୍ଦ୍ର ଲାଇସେନ୍ସ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଫାର୍ମାସିଟିକାଲ୍ ଆଣ୍ଡ ମେଡିକାଲ ବ୍ୟୁରୋ ଅଫ୍ ଇଣ୍ଡିଆର ମାର୍କେଟିଂ ଅଫିସର ସ୍ୱରୂପ ପଣ୍ଡାଙ୍କୁ ସିବିଆଇ ଗିରଫ କରିଛି। ବ୍ରହ୍ମପୁରରେ ଦୁଇ ଦିନ ହେଲା ସିବିଆଇ ଛପି ରହିଥିଲା । ସୋମବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ନେଉଥିବା ବେଳେ ସିବିଆଇ ମାଡି ବସିଥିଲା । ବ୍ରହ୍ମପୁର ହରେକ୍ରିଷ୍ଣା ନଗର ୨ୟ ଲାଇନ୍ ପାଖରେ ଏକ ବ୍ୟାଟମିଣ୍ଟନ କୋର୍ଟ ପାଖରେ ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ସ୍ୱରପ।
ସୂଚନା ଅନୁସାରେ, ଫାର୍ମାସ୍ମଟିକାଲ ଆଣ୍ଡ ମେଡିକାଲ ଡିଭାଇସ୍ ବ୍ୟୁରୋ ଅଫ୍ ଇଣ୍ଡିଆ ଏଜେନ୍ସି ଜରିଆରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା କାର୍ଯ୍ୟକାରୀ କରାଯାଉଛି । ବ୍ରହ୍ମପୁରରେ ଜଣେ ଜନଔଷଧି କେନ୍ଦ୍ର ଖୋଲିବା ପାଇଁ ଆବେଦନ କରିଥିଲେ। ବ୍ରହ୍ମପୁରରେ ଗୋଟିଏ କେନ୍ଦ୍ର ଖୋଲିବାକୁ ଏନ୍.ଦିବାକର ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା କାଗଜପତ୍ର ଯାଞ୍ଚ କରିବା ସହ ମଞ୍ଜୁର କରିବାର ପ୍ରାବଧାନ ରହିଥିଲା। ହେଲେ ସ୍ୱରୂପ ପଣ୍ଡା ଏଥିପାଇଁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି ।
ଦିବାକର ରାଜି ହୋଇଥିଲେ ଏବଂ ୧୫ହଜାର ଟଙ୍କା ଦେବେ ବୋଲି କହିଥିଲେ । ଏନେଇ ସେ ସିବିଆଇରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ସିବିଆଇର ଜଣେ ଡିଏସ୍ପିଙ୍କ ନେତୃତ୍ବରେ ୯ଜଣିଆ ଟିମ୍ ଆସି ବ୍ରହ୍ମପୁରରେ ଛକି ରହିଥିଲା। ସ୍ଵରୁପ ପଣ୍ଡା ୧୫ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ କାବୁ କରିଥିଲା ସିବିଆଇ। ତାଙ୍କୁ କାବୁ କରିବା ପରେ ବହୁ କାଗଜପତ୍ର ମଧ୍ୟ ଜବତ କରିଛି ସିବିଆଇ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସିବିଆଇ ତାଙ୍କ ଘରେ ଯାଞ୍ଚ ଜାରି ରଖିଥିବା ବେଳେ ଜନଔଷଧି ଆବେଦନର ବହୁ କାଗଜପତ୍ର ମିଳିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ସ୍ୱରୁପଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ରହିଥିବା ଦିବାକର କହିଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ ହୋଇଥିଲା। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ସିବିଆଇ ଚଢ଼ାଉ କରି ସ୍ୱରୂପଙ୍କୁ ଧରିଛି ବୋଲି ସେ କହିଛନ୍ତି ।
