କୋରମ୍ ଅଭାବରୁ ବାତିଲ୍ ହେଲା ପିଏସି ବୈଠକ, ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ପବ୍ଲିକ ଆକାଉଣ୍ଟସ୍ କମିଟି (ପିଏସି) ବୈଠକ ସୋମବାର କୋରମ୍ ଅଭାବରୁ ବାତିଲ ହୋଇଛି । ପିଏସିରେ ସଦସ୍ୟ ଥିବା ଶାସକ ବିଜେଡିର ବିଧାୟକମାନଙ୍କ ଅନୁପସ୍ଥିତି ଯୋଗୁ ଏହି ବୈଠକ ସମ୍ଭବପର ହୋଇପାରିନାହିଁ। ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ ଶାସକ ଦଳକୁ ତୀବ୍ର ସମାଲୋଚନା କରାଯାଇଛି ।ଶାସକ ବିଜେଡି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବେ ବୈଠକରୁ ଦୂରେଇ ରହୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ପିଏସି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ମୋହନ ଚରଣ ମାଝୀ ଓ ପିଏସି ସଦସ୍ୟ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଭୟ ସୋମବାର ନିର୍ଦ୍ଧାରିତ ସମୟରେ ପିଏସି ବୈଠକରେ ଯୋଗ ଦେବାକୁ ବିଧାନସଭାକୁ ଆସିଥିଲେ। ହେଲେ ବୈଠକରେ ଶାସକ ବିଜେଡିର ସଦସ୍ୟମାନଙ୍କ ଅନୁପସ୍ଥିତି ଯୋଗୁ କୋରମ୍ ହୋଇପାରିନଥିଲା । ଫଳରେ ପିଏସି ବୈଠକ ବାତିଲ ହୋଇଛି ।

ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବିଧାନସଭାର ସବୁଠୁ କ୍ଷମତାସମ୍ପନ୍ନ କମିଟି ପିଏସି ବୈଠକ ସଦସ୍ୟମାନଙ୍କ ଅନୁପସ୍ଥିତି ଯୋଗୁ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବୈଠକରେ କୋରମ୍ ପାଇଁ ଅତିକମରେ ୪ଜଣ ସଦସ୍ୟ ଆବଶ୍ୟକ । କିନ୍ତୁ ବିଜେଡି ସଦସ୍ୟମାନେ ଆସିଲେନି । ବିଜେଡି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନାରୁ ଦୂରେଇ ରହିବାକୁ ଚାହୁଁଛନ୍ତି । ତେଣୁ ସେମାନେ ପିଏସି ବୈଠକ ଆସୁନାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ସେହିପରି ପିଏସି ଅଧ୍ୟକ୍ଷ ଶ୍ରୀ ମାଝୀ କହିଛନ୍ତି ଯେ, ପିଏସିରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାକୁ ଥିବାରୁ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହେବ। ତେଣୁ ଜାଣିଶୁଣି ଏହାକୁ ଭଣ୍ଡୁର କରିବା ପାଇଁ ଶାସକ ଦଳ ଷଡ଼ଯନ୍ତ୍ର କରୁଛି। କେବଳ ଏହି ବୈଠକ ନୁହେଁ, ଲଗାତର ଭାବେ ଚାରିଟି ବୈଠକରେ ଶାସକ ଦଳ ସଭ୍ୟମାନେ ଅସହଯୋଗ କରୁଛନ୍ତି। ଲଗାତର ତିନିଟି ବୈଠକରେ ଅନୁପସ୍ଥିତ ଥିବା ସଦସ୍ୟଙ୍କୁ କମିଟିରୁ ବିଦା କରିବା ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ତେବେ ବିଧାନସଭାର ଏହି ପବ୍ଲିକ ଆକାଉଣ୍ଟସ୍ କମିଟି (ପିଏସି)ରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୧୧ଜଣ ସଦସ୍ୟ ଅଛନ୍ତି । ପିଏସି ଅଧ୍ୟକ୍ଷ ମୋହନ ଚରଣ ମାଝୀଙ୍କ ସମେତ ବିଜେପିର ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସର ନରସିଂହ ମିଶ୍ରଙ୍କ ସଦସ୍ୟ ଥିବାବେଳେ ବିଜେଡିରୁ ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାଶ, ପ୍ରଣବ ବଳବନ୍ତରାୟ, ଶାରଦା ନାୟକ, ଦିବ୍ୟଶଙ୍କର ମିଶ୍ର, ବ୍ରଜ ପ୍ରଧାନ ଓ ଅନନ୍ତ ଜେନା ସଦସ୍ୟ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପିଏସି ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। କିନ୍ତୁ ସେ କରୋନାରେ ପୀଡ଼ିତ ହୋଇ ଅସୁସ୍ଥ ଥିବା ଯୋଗୁ ଦୀର୍ଘ ଦିନ ଧରି ସେ ବିଧାନସଭା ଆସିପାରୁ ନାହାନ୍ତି। ସେଥିପାଇଁ ପିଏସି ବୈଠକ ହୋଇ ପାରୁନଥିଲା। ଗତ ବିଧାନସଭା ସମୟରେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ସେ ପିଏସି ଅଧ୍ୟକ୍ଷ ହୋଇ ନଥିଲେ। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ଏହି ଦାୟିତ୍ବ ଅର୍ପଣ କରାଯାଇଥିଲା।

Related Posts