
ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ):ମୋଦି ସରକାର ଦେଶର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣା ରାସନ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଉପରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ବଜେଟ୍ ୨୦୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଆମେ ୮୦ କୋଟି ଗରିବ ଲୋକଙ୍କୁ ରାସନ୍ ଉପଲବ୍ଧ କରି ସୁନିଶ୍ଚିତ କରିଥିଲୁ ଯେ, ଦେଶରେ କେହି ଉପାସରେ ଶୋଇବେ ନାହିଁ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସବୁ ଅନ୍ତୋର୍ଦୟ ଓ ପ୍ରାଥମିକତା ପ୍ରାପ୍ତ ପରିବାରକୁ ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ଖାଦ୍ୟ ଯୋଗାଇ ଦେବା ପାଇଁ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଅନୁସାରେ, ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ସଂପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାରଙ୍କ ଦ୍ବାରା ବହନ କରାଯାଉଛି।
ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାର ଏକୀକୃତ ଖାଦ୍ୟ ସୁରକ୍ଷା ଯୋଜନକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ନାଁ ଦେଇଛନ୍ତି, ଯାହାଫଳରେ ଏକ ଜାନୁଆରୀରୁ ୮୦ କୋଟିରୁ ଅଧିକ ଗରିବଙ୍କୁ ମାଗଣା ଖାଦ୍ୟ ଦିଆାଉଛି। ସରକାରଙ୍କ ଦ୍ବାରା ପିଏମ୍ଜିକେଏଓ୍ବାଇ ନାମରେ ଜଣାଯାଉଥିବା ଏକ ଅନ୍ୟ ଯୋଜନା ଅନୁସାରେ, ଗରିବଙ୍କୁ ୫ କିଲୋଗ୍ରାମ୍ ମାଗଣା ଖାଦ୍ୟ ସାମଗ୍ରୀ ବିତରଣ ବନ୍ଦ କରିବା ନେଇ ବିରୋଧୀଙ୍କ ପକ୍ଷରୁ ସମାଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି।
ଏପ୍ରିଲ ୨୦୨୦ ରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଏହି ଯୋଜନା ଗତ ବର୍ଷ ଡିସେମ୍ବରରେ ଶେଷ ହୋଇଯାଇଛି। ଗତ ମାସ ସରକାର ପିଏମଜିକେଓ୍ବାକୁ ଦୁଇଟି ଖାଦ୍ୟ ସବସିଡି ଯୋଜନାରେ ସାମିଲ କରିବାର ନିଷ୍ପତ୍ତି ନେଇଛନ୍ତି ଓ ଏହାର ପରିମାଣ ସ୍ବରୂପ ନୂତନ ଏକୀକୃତ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ ହୋଇଛି।