ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଭିଡ କଟକଣାରେ ଚାଲିବ ବଜେଟ ଅଧିବେଶନ । ଆଜି ବସିଥିବା ସର୍ବଦଳୀୟ ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା, ଯେଉଁ ନିୟମ ଲାଗୁ ହେଉଥିଲା, ଏବେ ବି ସେହି ବ୍ୟବସ୍ଥା ରହିବ। ଅଧିବେଶନ ପୂର୍ବରୁ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ । ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ତେବେ ବଜେଟ ଅଧିବେଶର ପୂର୍ବରୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ହୋଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ।

ସୁରୁଖୁରୁରେ ବିଧାନସଭା ଅଧିବେଶନ ଚଳାଇବାକୁ ବୈଠକରେ ଆଲୋଚନା ହୋଇଛି। ସେପଟେ ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୧ ଯାଏଁ ଚାଲିବ ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ମୋଟ ୬ଟି କାର‌୍ୟ୍ୟ ଦିବସ ରହିବ । ପ୍ରଥମ ଦିନ ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଂଜୁରୀ ବିଲ୍ ।