କରୋନା ସ୍ଥିତିକୁ ଦେଖି ସରକାରଙ୍କ ପ୍ରସ୍ତୁତି: ୨୭ ଡିସେମ୍ୱରରେ ଦେଶର ସବୁ ହସ୍ପିଟାଲ୍‌ରେ ହେବ ମକ୍‌ ଡ୍ରିଲ୍‌

ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ଚୀନ୍‌ ଓ ଅନ୍ୟାନ୍ୟ ଦେଶ ଗୁଡ଼ିକରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରସ୍ତୁତି ଜୋରଦାର୍‌ କରିଛନ୍ତି । ଏହି କ୍ରମରେ ଦେଶର ସମସ୍ତ ହସ୍ପିଟାଲ୍‌ରେ ଜରୁରୀକାଳୀନ ଭାବେ ୨୭ ଡିସେମ୍ୱରରେ ମକ୍‌ ଡ୍ରିଲ୍‌ର ଆୟୋଜନ କରାଯାଇଥିବା ସରକାର ଘୋଷଣା କରିଛନ୍ତି । ଏଥିରେ ସରକାରୀ ଏବଂ ବେସରକାରୀ ସମସ୍ତ ପ୍ରକାରର ହସ୍ପିଟାଲ୍‌ ସାମିଲ୍ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କୋଭିଡ୍‌ ସ୍ଥିତିର ସମୀକ୍ଷା ବୈଠକର ଗୋଟିଏ ଦିନ ପରେ ଏହି ନିର୍ଣ୍ଣୟ ନିଆଯାଇଛି । ଯେଉଁଥିରେ କେନ୍ଦ୍ର, ରାଜ୍ୟ ମାନଙ୍କୁ ଅକ୍ସିଜେନ୍‌ ସିଲିଣ୍ଡର୍‌, ଅକ୍ସିଜେନ୍‌ ଉତ୍ପାଦନ ଯନ୍ତ୍ର, ଭେଣ୍ଟିଲେଟର୍‌ ଏବଂ ହସ୍ପିଟାଲ୍‌ରେ ଅନ୍ୟ ଜରୁରୀ ସୁବିଧାର ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ।କୋଭିଡ୍‌ ୧୯ ପାଇଁ ସତର୍କ ରହିବା ସହ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ମକ୍‌ ଡ୍ରିଲ୍‌ ଉପରେ ଚର୍ଚ୍ଚା ହୋଇଥିଲା । ଏହି ମକ୍‌ଡ୍ରିଲ୍‌ରେ ଡାକ୍ତର ଏବଂ ନର୍ସ ପିପିଇ କିଟ୍‌ ପିନ୍ଧି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶାରିରୀକ ଭାବେ ଯାଞ୍ଚ କରିବେ । ଆପତଃ କାଳୀନ ସ୍ଥିତିରେ ଆଇସିୟୁ ସୁବିଧା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି।

Related Posts