ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଣେ ମୁସଲିମ ଛାତ୍ରଙ୍କୁ ଆତଙ୍କବାଦୀ କହିବା ପ୍ରଫେସରଙ୍କୁ ମହଙ୍ଗା ପଡ଼ିଛି। ଫଳରେ ସମ୍ପୃକ୍ତ ପ୍ରଫେସରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି। ବେଙ୍ଗାଲୁରୁର ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ଏମଆଇଟି)ରେ ଏହି ଘଟଣା ଘଟିଛି। କ୍ଲାସ ରୁମରେ ସମ୍ପୃକ୍ତ ପ୍ରଫେସର ଜଣକ ସେହି ଛାତ୍ରଙ୍କୁ ଆତଙ୍କବାଦୀ କହିବାର ଭିଡିଓ ଭାଇରାଲ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଭାଇରାଲ ଭିଡିଓରେ ଛାତ୍ର ଜଣକ ପ୍ରଫେସରଙ୍କ ସହ ମୁହାଁମୁହିଁ ହେଉଥିବା ଦେଖିବାକୁ ମଳିଛି। ଛାତ୍ର ଜଣଙ୍କୁ ପ୍ରଫେସର ଆତଙ୍କବାଦୀ କହିବା ପରେ ସେ ପ୍ରତିବାଦ କରିଥିଲେ। ଗତ ନଭେମ୍ବର ୨୬ରେ ଏହି ଘଟଣା ଘଟିଛି। ଜଣେ ମୁସଲମାନ ହୋଇଥିବାରୁ ମୋତେ ବାରମ୍ବାର ଏମିତି ଅପମାନିତ କରାଯାଉଛି। ଛାତ୍ର ଜଣକ ଏମିତି କହି ପ୍ରତିବାଦ କରୁଛନ୍ତି। ଛାତ୍ର ଜଣକ ପ୍ରଫେସରଙ୍କୁ ପାଲଟା ପ୍ରଶ୍ନ କରିଥିଲେ। କହିଥିଲେ ଆପଣ କଣ ନିଜ ପିଲାଙ୍କୁ ଆତଙ୍କବାଦୀ କୁହନ୍ତି।।ସବୁ ଦିନ କଣ ଏମିତି ନିଜ ଛୁଆକୁ କୁହନ୍ତି। ଯଦି ନୁହଁ ଏତେ ଲୋକଙ୍କ ସାମ୍ନାରେ ତୁମେ ମୋତେ କେମିତି କହି ପାରୁଛ ? ଏହା ହେଉଛି ଏକ ଶ୍ରେଣୀଗୃହ, ଆପଣ ଜଣେ ପ୍ରଫେସନାଲ ଏବଂ ଆପଣ ଶିକ୍ଷାଦାନ କରୁଛନ୍ତି। ଆପଣ ମୋତେ ଆତଙ୍କବାଦୀ କହିପାରିବେନି। ତେବେ ଭିଡିଓରେ ଶିକ୍ଷକ ଜଣକ ଛାତ୍ରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ ଏମଆଇଟି ସଂପୃକ୍ତ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି।
ଅନ୍ୟପଟେ ମଣିପାଲ ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ନିର୍ଦ୍ଦେଶକ ଏସପି କର ଏହି ଘଟଣା ନେଇ କହିଛନ୍ତି ଯେ, ଆମେ ଏପରି ଏକ ଘଟଣାକୁ ନିନ୍ଦା କରୁଛୁ । ଆମର ଏଠି ସମସ୍ତ ଧର୍ମ ପ୍ରତି ସମାନ ସମ୍ମାନ ରହିଛି। ଆମେ ବସୁଧୈବ କୁଟୁମ୍ବକମ୍ରେ ବିଶ୍ୱାସ କରୁ। ତେଣୁ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଆମେ ଆବଶ୍ୟକ କାର୍ଯ୍ୟ କରୁଛୁ। ଛାତ୍ରଙ୍କୁ କାଉନସେଲିଂ ଦିଆଯାଉଛି ଏବଂ ପ୍ରଫେସରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି।
