“ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମାନେ ଭାରତର ନାଗରିକଙ୍କ ଉପରେ ଜାସୁସି କରିପାରିବେ କି ?”- ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ଦାଏର ହେଲା ୟାଚିକା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପେଗାସସ୍ ଜାସୁସି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ମାମଲାରେ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।  ସୁପ୍ରିମକୋର୍ଟଙ୍କ ତତ୍ତ୍ବବଧାନରେ ଏସଆଇଟି ଯାଞ୍ଚ ଦାବିରେ ଆଇପିସି ତଥା ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଏହି ମାମଲାରେ ଜଡିତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାମଲା ଦାୟର କରାଯାଇଛି । 

   ଗୁଇନ୍ଦାଗିରି ପାଇଁ ପେଗାସସ୍ ସଫ୍ଟୱେର୍ କିଣିବା ବେଆଇନ ଏବଂ ଅସାମ୍ବିଧାନିକ ଘୋଷିତ ହେବା ଉଚିତ୍ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ଆବେଦନରେ ଦାବି କରାଯାଇଛି ଯେ ପାଗସେସ୍ ଜାସୁସିରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ସୁଧ ସହ ସରକାର ରାଜକୋଷରେ ଜମା କରନ୍ତୁ । ଓକିଲ ମୋହନ ଲାଲ ଶର୍ମା ଏହି ଆବେଦନ କରିଛନ୍ତି।

 ମୋହନ ଶର୍ମା ତାଙ୍କ ପିଟିସନରେ PMO କୁ ପକ୍ଷ ଭୁକ୍ତ କରିଛନ୍ତି।  ପେଗାସସ୍ ସଫ୍ଟୱେର୍ ମାଧ୍ୟମରେ ନାଗରିକଙ୍କ ମୌଳିକ ଅଧିକାରକୁ ଜାସୁସିରୁ ରକ୍ଷା କରାଯିବା ଉଚିତ ବୋଲି ଆବେଦନରେ କୁହାଯାଇଛି। ଏହି ପ୍ରସଙ୍ଗରେ ସିବିଆଇ ନିକଟରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା, କିନ୍ତୁ ସିବିଆଇ ଏଫ୍ଆଇଆର୍ ପଞ୍ଜିକରଣ କରିନଥିଲା।  ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। 

ଏଥିରେ କୁହାଯାଇଛି ଯେ, ” ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମାନେ ଭାରତର ନାଗରିକଙ୍କ ଉପରେ ଗୁଇନ୍ଦାଗିରି କରିପାରିବେ କି ?   ବିରୋଧୀ, ଜନସାଧାରଣ, ସାମ୍ବାଦିକ ଏବଂ ସୁପ୍ରିମକୋର୍ଟର ବିଚାରପତିଙ୍କ ଉପରେ ଜାସୁସି କରିବା ପାଇଁ ସିବିଆଇ, ଏନଆଇଏ ଇତ୍ୟାଦି ପେଗାସସ୍ ବ୍ୟବହାର କରୁଛନ୍ତି। ଏହା ଦ୍ବାରା ଭାରତୀୟ ଗଣତନ୍ତ୍ର, ନ୍ୟାୟପାଳିକା ଏବଂ ଦେଶର ସୁରକ୍ଷା ଉପରେ ଗୁରୁତର ଆକ୍ରମଣ ହୋଇଛି ବୋଲି ଆବେଦନକାରୀ କହିଛନ୍ତି ।

ଅପରପକ୍ଷରେ ରାଜନେତା, ସାମ୍ବାଦିକ ଓ ଅନ୍ୟ ଲୋକଙ୍କ ଫୋନ ଟ୍ୟାପିଂ ମାମଲାକୁ ନେଇ ଏବେ ସଂସଦରେ ଆଲୋଚନା ଜୋର ଧରିଛି । କଂଗ୍ରେସ ପକ୍ଷରୁ ଏହି ମାମଲାରେ ସଂସଦୀୟ ସମିତି ଦ୍ୱାରା ଯାଂଚ କରାଇବା ସହ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । 

ରବିବାର ରାତିରେ ଅନ୍ତର୍ଜାତୀୟ ଗଣମାଧ୍ୟମ ଏବଂ ଭାରତର ‘ଦ ଓୟାର’ର ଏକ ରିପୋର୍ଟ ସାମ୍ନାକୁ ଆସିଥିଲ। ଯେଉଁଥିରେ ଦାବି କରାଯାଇଥିଲା ଯେ , ଇସ୍ରାଏଲର ସଫ୍ଟଓୟାର କମ୍ପାନୀ ପେଗାସସ ଜରିଆରେ ଭାରତରେ ପ୍ରାୟ ୩୦୦ ଲୋକଙ୍କ ଫୋନ୍ ହ୍ୟାକ୍ କରାଯାଇଛି । ଯେଉଁଥିରେ ସାମ୍ବାଦିକ, ରାଜନେତା, ବୈଜ୍ଞାନିକ, ଆଇନଜୀବୀ, ବ୍ୟବସାୟୀ ଓ ଅନ୍ୟ ସାର୍ବଜନୀନ ଜୀବନ ସହିତ ଜଡିତ ବ୍ୟକ୍ତି ବି ଅଛନ୍ତି । ବିରୋଧୀ ଦଳର ୩ ନେତାଙ୍କ ଫୋନ୍ ହ୍ୟାକ୍ ହୋଇଥିବା ରିପୋର୍ଟରେ କୁହାଯାଇଛି । ଏହାକୁ ଏବେ ଦେଶର ସୁରକ୍ଷା ସହିତ ଜଡିତ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । 

Related Posts