ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ସାଂଘାତିକ ଅପରାଧଗୁଡ଼ିକୁ ସାଲିସ୍ ଦ୍ବାରା ସମାଧାନ ପାଇଁ ଅନୁମତି ମିଳିବ ନାହିଁ। ଅଭିଯୋଗକାରୀ ଯଦି କୁହନ୍ତି- ଆମ ଭିତରେ ଟଙ୍କା ଦେଣନେଣ ବା ଆପୋସ ବୁଝାମଣାରେ ମାମଲାର ସମାଧାନ ହୋଇଗଲା, ମୁଁ ଏବେ କୋର୍ଟରୁ ଅଭିଯୋଗ ପ୍ରତ୍ୟାହାର କରିନେବାକୁ ଚାହେଁ, ତେବେ ତାହାକୁ ଅନୁମତି ଦିଆଯାଇପାରିବ ନାହିଁ।

ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଭି ରାମସୁବ୍ରମଣ୍ୟମ୍‌ଙ୍କ ଖଣ୍ଡପୀଠ ଏକ ଆତ୍ମହତ୍ୟା ମାମଲା ଉପରେ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଲେ ଯେ ଏପରି ମାମଲାକୁ ସାଲିସ୍ ମାଧ୍ୟମରେ ସମାଧାନ କରିବାକୁ ଅନୁମତି ଦେବା ସମାଜ ପାଇଁ ହିତକର ନୁହେଁ। ସେମିତି ହେଲେ ଯାହାଙ୍କ ପାଖରେ ପ୍ରଚୁର ଧନ ଅଛି ସେମାନେ ମନଇଚ୍ଛା ଅପରାଧ କରିବେ ଏବଂ ଟଙ୍କା ଦେଇ ପୀଡ଼ିତଙ୍କୁ କେସ୍ ଫେରାଇ ନେବାକୁ ବାଧ୍ୟ କରିବେ।

ଏଣୁ ଗୁରୁତର ଅପରାଧକୁ ବାଦୀ-ପ୍ରତିବାଦୀଙ୍କ ମଧ୍ୟରେ ଆପୋସ ବୁଝାମଣା ଭିତ୍ତିରେ ବା ଟଙ୍କା ଦେଣନେଣ ମାଧ୍ୟମରେ ସମାଧାନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ।

ଦୋଷୀଙ୍କୁ ତା ଦୋଷ ଅନୁସାରେ ଦଣ୍ଡିତ କରାଯିବ ।