ଭୁବନେଶ୍ଵର,୩୦/୧୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ନର୍ଥ ଏଭିନିଉ ଥାନାରେ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଚାଲିଥିବା ଜାତିଆଣ ଆକ୍ଷେପ ମାମଲାରେ ସ୍ଥାନୀୟ ପଟିଆଲ୍ ହାଉସ୍ କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି । ଆସନ୍ତା ୨୦୨୩ ଜାନୁଆରୀ ୪ରେ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ମାଆ ଦୀପା ସାହୁ ଓ ଭଉଣୀ ଆୟୁଷି ପ୍ରିୟଦର୍ଶିନୀଙ୍କୁ କୋର୍ଟ ହାଜିରା ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।କୋର୍ଟର ସମନ ପହଞ୍ଚାଇବା ପାଇଁ କିଛି ଦିନ ପୂର୍ବେ ନର୍ଥ ଏଭିନିଉ ଥାନାର କର୍ମଚାରୀ କଟକ ଆସିଥିଲେ ।
ତେବେ ସାଂସଦ ଅନୁଭବ ମହାନ୍ତିଙ୍କ ଜଣେ ସହକର୍ମୀଙ୍କୁ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ମାଆ ଦୀପା ସାହୁ ଓ ଭଉଣୀ ଆୟୁଷି ପ୍ରିୟଦର୍ଶିନୀ ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଦିଲ୍ଲୀରେ ଏହି ଘଟଣା ଘଟିଥିଲା । ତେଣୁ ଅନୁଭବଙ୍କ ସହକର୍ମୀ ଏନେଇ ସ୍ଥାନୀୟ ନର୍ଥ ଏଭିନିଉ ଥାନାରେ ଏତଲା ଦେଇଥିଲେ । ଦିଲ୍ଲୀ ପୁଲିସ ଏସ୍ସି ଓ ଏସ୍ଟି ପ୍ରିଭେନ୍ସନ୍ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ କରିଥିଲା । ମାମଲାର ତଦନ୍ତ ଏବେ ଜାରି ରହିଛି । ମାତ୍ର ଏଯାବତ ବର୍ଷା କିମ୍ବା ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଭିତରୁ କେହି ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହୋଇନାହାନ୍ତି । ତେଣୁ ପୁଲିସ ମାମଲାକୁ ନୂଆଦିଲ୍ଲୀ ପଟିଆଲା ହାଉସ୍ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍-୫ ଦେବେନ୍ଦ୍ର କୁମାର ଜଙ୍ଗାଲାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲା ।
କୋର୍ଟ ମାମଲାରେ ଅଭିଯୁକ୍ତ ଥିବା ବର୍ଷା ପ୍ରିୟଦର୍ଶିନୀ, ଦୀପା ସାହୁ ଓ ଆୟୁଷିି ପ୍ରିୟଦର୍ଶିନୀଙ୍କୁ ଆସନ୍ତା ଜାନୁଆରୀ ୪ରେ ହାଜର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅଭିଯୁକ୍ତଙ୍କ ପାଖରେ ସମନ ପହଞ୍ଚାଇବାକୁ ତଦନ୍ତକାରୀ ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ। ଏହି କ୍ରମରେ ଗତ ସପ୍ତାହରେ ତଦନ୍ତକାରୀ ଅଧିକାରୀ ଏସିପି ମହେଶ ଚାନ୍ଦ ମୀନାଙ୍କ ନିର୍ଦ୍ଦେଶରେ ନର୍ଥ ଏଭିନିଉ ଥାନାର ଦୁଇ ଜଣ କର୍ମଚାରୀ କଟକ ଆସିଥିଲେ । ସେ ବର୍ଷାଙ୍କ ଶାଶୂଘର ଥିବା ଚୌଧୁରୀବଜାର ନନ୍ଦିସାହି ସ୍ଥିତ ଘରକୁ ଯାଇଥିଲେ । ସେଠାରେ ବର୍ଷା ଏବେ ରହୁନଥିବାରୁ ସେଠାରେ ନୋଟିସ୍ ଛାଡ଼ିଥିଲେ । ଅନ୍ୟ ଅଭିଯୁକ୍ତ ଆୟୁଷି ଓ ଦୀପାଙ୍କ ଘରକୁ ଏହି ନୋଟିସ୍ ନେଇ ଥାନା କର୍ମଚାରୀ ଯାଇଥିଲେ କି ନାହିଁ ତାହା ସ୍ପଷ୍ଟ ଜଣାପଡ଼ିନି ।
ଅନ୍ୟପଟେ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ଏସିପି ମହେଶ ଚାନ୍ଦ ମୀନାଙ୍କ କହିବା କଥା, ଅଭିଯୁକ୍ତଙ୍କ ଘରକୁ ନୋଟିସ୍ ପଠାଯାଇ ଫୋନ୍ରେ ଜଣାଇ ଦିଆଯାଇଛି । ଯଦି ସେମାନେ କୋର୍ଟରେ ହାଜର ନହୁଅନ୍ତି ତାହେଲେ ଅଭିଯୁକ୍ତମାନଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇପାରେ ।
