ନୂଆଦିଲ୍ଲୀ: ୩୪୮ ଆପ୍ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିବା ଦର୍ଶାଇ ଆକ୍ସନ ନେଇଛନ୍ତି କେନ୍ଦ୍ର ସରକାର । ଏହିସବୁ ଆପ୍ ଚୀନ ଏବଂ ଅନ୍ୟ ଦେଶ ଦ୍ଵାରା ବିକଶିତ କରାଯାଇଛି। ଏହି ସବୁ ଆପ୍ ଜରିଆରେ ସୂଚନା ଏକତ୍ର କରାଯାଇ ଦେଶ ବାହାରେ ଥିବା ସର୍ଭରକୁ ପଠାଯାଉଥିଲା। ଇଲେକ୍ଟ୍ରୋନିକ ଏବଂ ସୂଚନା ଅଦୌଗିକି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି।
ଲୋକସଭାରେ ସାଂସଦ ରୋଡମଲ ନାଗର ପ୍ରଶ୍ନ କରିଥିଲେ ଯେ, କଣ କେନ୍ଦ୍ର ସରକାର ଦେଶ ବାହାରକୁ ସୂଚନା ପଠାଯାଉଥିବା ଆପ୍ର ଚିହ୍ନଟ କରିଛନ୍ତି କି ? ଯଦି ଏମିତି ଆପ୍ ବିଷୟରେ ଜଣା ପଡିଛି ତେବେ ଏହା ଉପରେ କଟକଣା ଲଗାଯାଇଛି କି ନାହିଁ ? ପ୍ରଶ୍ନର ଉତ୍ତରରେ ରାଜ୍ୟ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏମିତି ୩୪୮ ଆପ୍ ଚିହ୍ନଟ କରିଛନ୍ତି। ମନ୍ତ୍ରଣାଳୟର ଅନୁରୋଧକ୍ରମେ ଇଲେକ୍ଟ୍ରୋନିକ ଏବଂ ସୂଚନା ଅଦୌଗିକି ମନ୍ତ୍ରଣାଳୟ ଏହି ସବୁ ଆପ୍ଲିକେସନ ବ୍ଲକ୍ କରିଛି।
ମନ୍ତ୍ରୀ କହିଛନ୍ତି, ଏହି ଧରଣର ତଥ୍ୟ ପ୍ରସାରଣ ଭାରତର ସାର୍ବଭୌମତ୍ଵ ଏବଂ ଅଖଣ୍ଡତା, ଦେଶ ଏବଂ ରାଜ୍ୟର ସୁରକ୍ଷା ପ୍ରତି ବିପଦ। ଏହି ସବୁ ଆପ୍ ଗୁଡିକୁ ଚୀନ ସମେତ ବିଭିନ୍ନ ଦେଶ ଦ୍ଵାରା ବିକଶିତ କରାଯାଇଛି। ଗୃହ ମନ୍ତ୍ରଣାଳୟ ତୁରନ୍ତ ଏହି ସବୁ ଆପ୍ ଉପରେ କଟକଣା ଲଗାଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
