କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍ମାରକୀ, ସଂଗ୍ରହାଳୟ ଓ ପୁରାତନ କିର୍ତ୍ତିରାଜିକୁ ପ୍ରବେଶ ମାଗଣା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଭାରତ ନିଜ ସ୍ୱାଧୀନତାର ୭୫ ବର୍ଷ ପୂରା କରିବାକୁ ଯାଉଛି । ଏହି ଅବସରରେ ସାରା ଭାରତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରାଯାଉଛି । ଏପରିକି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଲୋକମାନେ ‘ହର ଘର ତ୍ରିରଙ୍ଗା’ ଉତ୍ସବ ପାଳନ କରୁଛନ୍ତି, ଯାହାକି ଅଗଷ୍ଟ ୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ ।

ଏଭଳି ସମୟରେ କେନ୍ଦ୍ର ସରକାର ଲୋକଙ୍କୁ ଏହି ଉତ୍ସବରେ ଯୋଡିବାକୁ ଏକ ବଡ ଘୋଷଣା କରିଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଗଷ୍ଟ ୧୫ ତାରିଖ ଅର୍ଥାତ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍ମାରକୀ, ସଂଗ୍ରହାଳୟ ଓ ପୁରାତନ କିର୍ତ୍ତିରାଜି ସ୍ଥଳକୁ ପ୍ରବେଶ ଫି’ ଫ୍ରି ଘୋଷଣା କରିଛି ।

ଏଏସଆଇର ସ୍ମାରକ ନିର୍ଦ୍ଦେଶକ ଡ.ଏନ କେ ପାଠକଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍ମାରକୀ, ସଂଗ୍ରହାଳୟ ଓ ପୁରାତନ କିର୍ତ୍ତିରାଜି ସ୍ଥଳକୁ ପ୍ରବେଶ ପାଇଁ ଲୋକଙ୍କଠାରୁ କୌଣସି ଫି’ ଆଦାୟ ହେବ ନାହିଁ ବୋଲି ଘୋଷଣା କରାଯାଇଛି । ଅର୍ଥାତ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଦେଶର ସାଧାରଣ ଲୋକମାନେ ଏହି ସବୁ ସ୍ଥାନକୁ ମାଗଣାରେ ବୁଲି ଦେଖିପାରିବେ ।

Related Posts