‘ଠିକ୍ ଥିଲା କେନ୍ଦ୍ର ସରକାରଙ୍କ ନୋଟବନ୍ଦୀ ନିଷ୍ପତ୍ତି’: ସୁପ୍ରିମକୋର୍ଟ

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଜି ବଡ଼ ରାୟ ଦେଇଛନ୍ତି। ୨୦୧୬ରେ ସରକାର ଘୋଷଣା କରିଥିବା ବିମୁଦ୍ରାକରଣ ପ୍ରସଙ୍ଗରେ ହୋଇଥିବା ଆବେଦନ ଗୁଡିକ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିବା ବେଳେ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ରାୟ ପ୍ରକାଶ କରିଛନ୍ତି।ସୁପ୍ରିମକୋର୍ଟ ନିଜ ରାୟରେ ସରକାରଙ୍କ ବିମୁଦ୍ରୀକରଣ ସଠିକ ଥିଲା ବୋଲି କହିଛନ୍ତି। ଏହାସହ ବିମୁଦ୍ରୀକରଣ ବିରୋଧରେ ସମସ୍ତ ଆବେଦନ ଖାରଜ କରିଛନ୍ତି। ବିମୁଦ୍ରୀକରଣ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା କହିଛନ୍ତି ସୁପ୍ରିମକୋର୍ଟ।

ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ମୋଟ ୫୮ଟି ଆବେଦନ ହୋଇଥିଲା। ସରକାର ଘୋଷଣା କରିଥିବା ବିମୁଦ୍ରାକରଣକୁ ବେଆଇନ ଦର୍ଶାଇ ଏହି ସବୁ ମାମଲା ଗୁଡିକ ହୋଇଥିଲା। ତେବେ ଗତ ଡିସେମ୍ବର ୭ରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ପୀଠରେ ମାମଲାର ଶୁଣାଣି ହୋଇଥିଲା। ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

ଜଷ୍ଟିସ୍ ଏସ୍ ଏ ନାଜିରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ରାୟ ଶୁଣାଇଛନ୍ତି। ସରକାରଙ୍କ ୨୦୧୬ ନୋଟବନ୍ଦୀ ନିଷ୍ପତ୍ତି ସମ୍ବନ୍ଧୀୟ ସବୁ ରେକର୍ଡ ସଂରକ୍ଷିତ ରଖିବାକୁ ଗତ ଡିସେମ୍ବର ୭ରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟାରମଣି, ଆରବିଆଇର ଓକିଲ ତଥା ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ୍ ଏବଂ ଆବେଦନକାରୀଙ୍କ ଓକିଲ ଶ୍ୟାମ ଦିଓ୍ବାନଙ୍କ ଯୁକ୍ତି ଶୁଣିଥିଲେ । ଚିଦାମ୍ବରମ୍ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବିମୁଦ୍ରୀକରଣକୁ ଗୁରୁତର ତ୍ରୁଟି ବୋଲି କହିଥିଲେ । ଚିଦାମ୍ବରମ୍ ଯୁକ୍ତି କରିଥିଲେ ଯେ ସରକାର ଦେଶର ଲିଗାଲ ଟେଣ୍ଡର ବା ମୁଦ୍ରା ସମ୍ବନ୍ଧୀୟ କୌଣସି ପ୍ରସ୍ତାବ ନିଜଆଡୁ ଆରମ୍ଭ କରିପାରିବେ ନାହିଁ । ଏହା କେବଳ ଆରବିଆଇ କେନ୍ଦ୍ରୀୟ ବୋର୍ଡର ସୁପାରିସ ଅନୁଯାୟୀ ହିଁ କରାଯିବା ଉଚିତ ବୋଲି କହିଥିଲେ। ତେବେ ଶେଷରେ ସମସ୍ତ ଆବେଦନକୁ ଖାରଜ କରିବା ସହିତ ବିମୁଦ୍ରୀକରଣ ସଠିକ ଥିଲା ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ସୂଚନାଯୋଗ୍ୟ ଯେ, ଗତ ୨୦୧୬ ମସିହା ନଭେମ୍ବର ୮ ତାରିଖରେ ସରକାର ବିମୁଦ୍ରାକରଣ ଘୋଷଣା କରିଥିଲେ। ସେହି ଦିନଠାରୁ ଦେଶରେ ପୁରୁଣା ୫ଶହ ଓ ୧ ହଜାର ଟଙ୍କିଆ ନୋଟ୍ ସବୁକୁ ଅଚଳ କରିବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର।

Related Posts